ଭୁବନେଶ୍ବର:ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଭୋଳା ବାବାଙ୍କ ଉପରେ ଜଳ ଲାଗି କରିବେ କାଉଡିଆ । ଏଥିପାଇଁ ମନ୍ଦିର ଆଗରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ମନ୍ଦିର ଆଗରେ ଆର୍ଏଣ୍ଡ୍ବି ବିଭାଗ ପକ୍ଷରୁ ଜିଗ୍ଜାଗ୍ ଲୁହା ବ୍ୟାରିକେଡ୍ ପ୍ରସ୍ତୁତି କରାଯାଇଛି। ଏଥିସହ ମନ୍ଦିର ସମ୍ମୁଖରେ ପୁରୁଷ ଓ ମହିଳାଙ୍କ ଆଶ୍ରୟସ୍ଥଳ ତିଆରି ହୋଇଛି। ସେହିପରି ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇଛି। ମନ୍ଦିର ଭିତରେ କାଉଡ଼ିଆମାନଙ୍କୁ ଶୃଙ୍ଖଳିତ ଭାବେ ଭିତରକୁ ଛାଡ଼ିବା ପାଇଁ ଏଏସ୍ଆଇ ପକ୍ଷରୁ ବ୍ୟାରିକେଡ୍ ବନ୍ଧା ହୋଇଛି। କାଉଡ଼ିଆମାନେ ରବିବାର ଅପରାହ୍ନରୁ ଆସି ଏକାମ୍ର କ୍ଷେତ୍ରରେ ପହଞ୍ଚିଛନ୍ତି। ଅନେକ କାଉଡ଼ିଆ କେଦାରଗୌରୀ ମନ୍ଦିର ନିକଟରେ ଓ ଆଉ କିଛି ମନ୍ଦିର ସମ୍ମୁଖରେ ବାହୁଙ୍ଗି ରଖି ବିଶ୍ରାମ ନେଉଛନ୍ତି। ମହାନଦୀର କଟକ ଗଡ଼ଗଡ଼ିଆ ଘାଟ ସମେତ ଅନ୍ୟ ନଦୀ ଘାଟରୁ ଜଳଭାର ନେଇ କାଉଡ଼ିଆମାନେ ଏକାମ୍ର କ୍ଷେତ୍ରରେ ପହଞ୍ଚିବା ପରେ ପାଣି ଭାର ବ୍ୟାରିକେଡ୍ରେ ରଖି ବିଶ୍ରାମ ନେଉଛନ୍ତି। ମନ୍ଦିର ସମ୍ମୁଖରେ ଖୋଳା ହୋଇଥିବା ସ୍ଥାନରେ କାଉଡ଼ିଆ ଯିବାଆସିବା ପାଇଁ ଗାଲିଚା ବିଛା ହୋଇଛି। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସମ୍ମୁଖ ଡାହାଣ ପାର୍ଶ୍ୱରେ ଗଙ୍ଗା ଯମୁନା ମନ୍ଦିର ଆଡ଼କୁ ବ୍ୟାରିକେଡ୍ ଓ ତମ୍ବୁ ବନ୍ଧା ସରିଛି। ମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ପୂର୍ତ୍ତ ବିଭାଗ ଏହି କାର୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିଛି। ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ସୋମବାର ଭୋର ୩ଟାରୁ ମନ୍ଦିର ଖୋଲାଯିବ। ଭୋର ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ପରେ ଧାଡ଼ିକରି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରିବେ। କାଉଡ଼ିଆଙ୍କ ସୁରକ୍ଷା ପାଇଁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ସହ ୧୫ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଲିଙ୍ଗରାଜ ମନ୍ଦିର ସମେତ କାଉଡ଼ିଆଙ୍କ ଭିଡ଼ ଓ ରାସ୍ତାରେ ଯିବା ଆସିବା ସ୍ଥାନରେ ୨୬ଟି ସ୍ଥାନରେ ପୁଲିସ ରହିବେ ବୋଲି ଜଣାପଡ଼ିଛି। ବିନ୍ଦୁସାଗରରୁ ପାଣି ଉଠାଉଥିବାରୁ ସେଠାରେ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ରହିବ। ରାତି ୩ଟାରୁ ଅଗ୍ନିଶମ ବାହିନୀ ବିନ୍ଦୁସାଗର କୂଳରେ ପଇଁତରା ମାରିବ। ରବର ବୋଟ୍, ଲାଇଫ୍ ବୟ, ଲାଇଫ୍ ଜ୍ୟାକେଟ୍ ଆଦି ବିଭିନ୍ନ ଅତ୍ୟାଧୁନିକ ଉପକରଣରେ ସଜ୍ଜିତ ଏହି ଟିମ୍ ବିନ୍ଦୁସାଗର ଚାରିକଡ଼ରେ ରହିବେ। ସେହିପରି ପୁରୀ ଲାେକନାଥଙ୍କ ମନ୍ଦିରରେ ମଧ୍ୟ କାଉଡ଼ିଆଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।
previous post