(ହୀରାକୁଦ) : ଉପର ମୁଣ୍ଡରେ ଲଗାଣ ବର୍ଷା ହେତୁ ପୂର୍ବରୁ ୨ଟି ସ୍ଲୁଇସ୍ ଗେଟ୍ ଖୋଲା ଥିବା ବେଳେ ଗତକାଲି ପୁଣି ହୀରାକୁଦ ଜଳଭଣ୍ଡାରର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ମୋଟ ୬ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଗତକାଲି ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୧୨ ଫୁଟ୍ରେ ପହଞ୍ଚିଥିବା ବେଳେ ଜଳଭଣ୍ଡାରରକୁ ୧,୭୬,୦୪୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା। ସେହିପରି ଜଳଭଣ୍ଡାରରୁ ୧,୩୭,୯୨୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ୬ଟି ସ୍ଲୁଇସ୍ ଗେଟ୍ ଦେଇ ୯୮,୨୦୨ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୬,୦୧୩ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଥିଲା।
ସୂଚନାନୁଯାୟୀ , ଲଘୁଚାପ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ହେବା ସହ ଶକ୍ତିଶାଳୀ ହୋଇଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।ରାଜ୍ୟର ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାକୁ କମଳା ଚେତାବନୀ/ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।