(ମହାଭାରତ/ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ଧାନନ୍ଦା ଗାଁର ମୁଖ୍ୟ ରାସ୍ତାରେ ବର୍ଷା ଦିନେ ପାଣି ଜମି ରହୁଥିବାରୁ ପାଣି ନିଷ୍କାସନ ପାଇଁ ବାଲିଆପାଳ ବିଡିଓଙ୍କୁ ଚିଠି ଲେଖିଛନ୍ତି ଗ୍ରାମବାସୀ । ପ୍ରାୟ ୫୦୦ ଲୋକ ବାସ କରୁଥିବା ଏହି ଗାଁ ଦଳେଇ ସାହି ଛକରେ ଅଧିକାଂଶ ସମୟ ପାଣି ଜମି ରହିଥାଏ । ରାସ୍ତାଟି କଚ୍ଚା ହୋଇଥିବାରୁ ବର୍ଷାଦିନେ ଏହାର ଅବସ୍ଥା କହିଲେ ନସରେ । ବର୍ଷା ହେଲେ ୪ରୁ ୫ ଫୁଟ ଉଚ୍ଚର ପାଣି ରାସ୍ତାରେ ଜମା ହୋଇଥାଏ । ଫଳରେ ଗାଁ ଲୋକମାନେ ଘରୁ ବାହାରକୁ ବାହାରିବାରେ ଅସୁବିଧା ହେଉଥିବା ବେଳେ ପିଲାମାନେ ସ୍କୁଲ ଯିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଏପରିକି ପାଣି ନିଷ୍କାସନ ହୋଇ ନପାରି ରାସ୍ତାରେ ପ୍ରାୟ ସମୟ ଜମି ରହୁଥିବାରୁ ଗାଁକୁ ଗାଡି ମୋଟର ଯାଆସ କରିବାରେ ଅସୁବିଧା ହୋଇଥାଏ । ଫଳରେ କେହି ରୋଗାକ୍ରାନ୍ତ ହେଲେ ଗାଁରୁ ଡାକ୍ତରଖାନା ଯିବାରେ ସମସ୍ୟା ଦେଖା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଦୀର୍ଘ ୪ ବର୍ଷ ଧରି ଏହି ସମସ୍ୟା ଦେଇ ଗାଁ ଲୋକେ ଗତି କରିଆସୁଥିଲେ ବି ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଏଣୁ ବାଧ୍ୟ ହୋଇ ଗ୍ରାମବାସୀମାନେ ଗାଁ ମୁଖ୍ୟ ରାସ୍ତାରେ ଜମି ରହୁଥିବା ପାଣି ନିଷ୍କାସନ ନିମନ୍ତେ ବାଲିଆପାଳ ବିଡିଓଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ।
previous post
