ଭୁବନେଶ୍ୱର/ ସୁର୍ଜିତ ଧଳ: ରାଜ୍ୟ ସରକାର ଶ୍ରୀ ୪୨୦ ଭାବେ ଚିତ୍ରିତ କରିଥିବା ଆକାଶ ପାଠକଙ୍କୁ ଭିଜିଲାନ୍ସ ଧରିବା ପରେ ରାଜ୍ୟର ସମସ୍ତ ଅନୁସନ୍ଧାନକାରୀ ସଂସ୍ଥା ଗୋଟିଏ ପରେ ଗୋଟିଏ ତାଙ୍କୁ ରିମାଣ୍ଡରେ ନେଇ ତଦନ୍ତ ଚଳାଇଛନ୍ତି । ଆକାଶଙ୍କ ଦୁର୍ନୀତିର ପେଡି ଖୋଲି ଏକଦା ନବୀନଙ୍କ ବିଶ୍ୱସ୍ତ ବୋଲାଉଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ଜନବିରୋଧୀ ଅଭିଯୋଗରେ ବହିଷ୍କାର କରାଯାଇଛି । ଏବେ ସେ ଜେଲର କାଳ କୋଠରୀରେ । ତାଙ୍କର ଅପରାଧ, ସେ ତାଙ୍କ ଭାବି ଜ୍ୱାଇଁ ତଥା ଶ୍ରୀ ୪୨୦ ଆକାଶଙ୍କ ସହ ଚାର୍ଟର ଫ୍ଲେନରେ କରୋନା କାଳରେ ଆକାଶ ମାର୍ଗରେ ଯାତ୍ରା କରିଥିଲେ । କିନ୍ତୁ ସମାନ କାର୍ଯ୍ୟ କରିଥିଲେ ମଧ୍ୟ ଦଳର ଅନ୍ୟତମ ସଦସ୍ୟ, ମୋ ପରିବାର ତଥା ବିଜୁ ଯୁବ ବାହିନୀର ମୁଖ୍ୟ ଅରୂପ ପଟ୍ଟନାୟକ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କ୍ଷେତ୍ରରେ ଦଳ ନୀରବତା ଅବଲମ୍ବନ କରିଛି ।
ପ୍ରଦୀପଙ୍କୁ ଦଳରୁ ବହିଷ୍କାର କରିବାର ତୃତୀୟ ଦିନରେ ବିଜେଡିର ଏକାଧିକ ନେତା ଜନବିରୋଧୀର ସଂଜ୍ଞା ଗାନରେ ଶତମୁଖର ହୋଇପଡିଥିଲେ । କରୋନା କାଳରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ଗୋପାଳପୁର ବିଧାୟକ ଆକାଶ ଯାତ୍ରା କରୁଥିଲେ ତାହା ପୁଣି ଜଣେ ଠକ ସହ । ହେଲେ ସେହି ସମାନ ଠକ ସହ ମୋ ପରିବାରର ମୁଖ୍ୟ ଜୁଲାଇ ୧୧ରେ ଅର୍ଥାତ ସମାନ କରୋନା କାଳରେ, ସମାନ ପଥରେ, ସମାନ ଯାନରେ ଯାତ୍ରା କରିଥିଲେ । ଏହି କଥା ଜଣା ପଡିବା ପରେ ବିଜେଡି ନେତାଙ୍କୁ ପୋକ ସୁଙ୍ଘି ଯାଇଛି ଯେମିତି । କାହାରି ପାଟିରୁ ପଦୁଟିଏ ବାହାରୁନି ଅରୂପଙ୍କ ଘଟଣାରେ । ଗଣମାଧ୍ୟମ ସମ୍ମୁଖରେ ଚିକ୍ରାର କରି ଅନର୍ଗଳ ଦଳର ନୀତି, ଆଭିମୁଖ୍ୟ ଓ ବିରୋଧୀଙ୍କୁ ଟାର୍ଗେଟ କରୁଥିବା ଲେଲିନ ମହାନ୍ତିଙ୍କ ମଧ୍ୟ ଅରୂପଙ୍କ ମାମଲାରେ ଦେଖା ନାହିଁ । ତେବେ କାହିଁ? ପ୍ରଦୀପଙ୍କ କ୍ଷେତ୍ରରେ ଯାହା ଜନବିରୋଧୀ ଥିଲା ଅରୂପଙ୍କ କ୍ଷେତ୍ରରେ କଣ ବୋଲି ଗଣମାଧ୍ୟମ ପଚାରିଲେ ମଧ୍ୟ କିଛି ଉତ୍ତର ମିଳୁନାହିଁ । ମାତ୍ର ଦିନ କେତୋଟି ଭିତରେ ବିଜେଡି ପାଇଁ ଠକ ସର୍ଦ୍ଦାରଙ୍କ ସହ ଯାତ୍ରାର ପରିଭାଷା କଣ ବଦଳି ଗଲା ବୋଲି ପ୍ରଶ୍ନ ହେଉଛି ।
ତେଣେ ସାମ୍ବାଦିକଙ୍କୁ ଗୋଟିଏ କଥା ବିଚଳିତ କରୁଛି, ନିର୍ବାଚନ ପୂର୍ବରୁ ୨୦୧୮ରେ ଯେତେବେଳେ ଅରୂପ ପଟ୍ଟନାୟକଙ୍କୁ ଦଳ ତାର ଭୁବନେଶ୍ୱର ସାଂସଦ ଭାବେ ଉପସ୍ଥାପନ କରିଥିଲା, ସେତେବେଳେ ତାଙ୍କ ବିଷୟରେ ବହୁ ବଡିମା ଗାନ କରାଯାଇଥିଲା । ସେ ଜଣେ ଦକ୍ଷ ଓ ବିଚକ୍ଷଣ ପୁଲିସ ଅଧିକାରୀ କୁହାଯିବା ସହ ତାଙ୍କ ଆଖି ଅପରାଧୀ ଚିହ୍ନିବାରେ ସ୍କାନର ପରି କାମ କରିଥାଏ ବୋଲି କୁହାଯାଇଥିଲା । ଆମେ ମଧ୍ୟ ଅରୂପଙ୍କୁ ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ଜାଣୁ । କିନ୍ତୁ ଏତେ ବଡ ୪୨୦ ସହ ବିମାନ ଯାତ୍ରା କରି ମଧ୍ୟ ଅରୂପଙ୍କ ଆଖିରୁ ସେ ଖସି ଯିବାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ଅରୂପ ମୋ ପରିବାରର ଚାରା ରୋପଣ କାର୍ଯ୍ୟ ଭାର ନେଇଛନ୍ତି ଏଥି ସହ ଜଣେ ପ୍ରକୃତିଗତ ପୁଲିସ ଅଧିକାରୀ । ଅଥଚ ବନିକରଣରେ ବନ ଭୂମିକୁ ନିଚ୍ଛିନ୍ନ କରିଦେଇଥିବା ଅଭୟ ପାଠକଙ୍କ ସହ ତାଙ୍କର ଘନିଷ୍ଠତା କିପରି ରହିଥିଲା? ଯେଉଁଥି ପାଇଁ ଆକାଶ ପୁନେ ଯିବା ବେଳେ ତାଙ୍କ ସହ ସେ ମଧ୍ୟ ମୁମ୍ବାଇ ଯାତ୍ରା କରିଥିଲେ । ଏହି ଦକ୍ଷ ଓ ବରିଷ୍ଠ ପୁଲିସ ଅଧିକାରୀ କିନ୍ତୁ ବନ ଲୁଟେରା ତଥା ଠକ ସର୍ଦ୍ଦାରଙ୍କୁ ଚିହ୍ନି ପାରିଲେ ନାହିଁ କିପରି? ନା ସେତେବେଳେ ପ୍ରଦୀପ ଦଳ ସୁପ୍ରିମୋଙ୍କ ଖାସ ଲୋକ ହୋଇ ରହିଥିଲେ ତେଣୁ କଣ ତାଙ୍କ ସମ୍ପର୍କୀୟଙ୍କ ସବୁ କେଳେଙ୍କାରୀ ଜାଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇଥିଲେ?
ରାଜ୍ୟ ସରକାର ସାମାନ କାର୍ଯ୍ୟ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି କିନ୍ତୁ ଅରୂପଙ୍କ କ୍ଷେତ୍ରରେ ନୀରବତା ଅବଲମ୍ବନ କରୁଛି । ଫଳରେ ସରକାରର ପାତରଅନ୍ତର ଓ ବିଭେଦତା ପଦାରେ ପଡିଛିି । ଶାସକ ଦଳ ତଥା ଦଳର ମୁଖ୍ୟଙ୍କ ଦୋ ମୁହାଁ ନୀତି ଓ ହୀନମନ୍ୟତାକୁ ନେଇ ସାମ୍ବାଦିକ ମହଲରେ ନାନା ପ୍ରଶ୍ନ । ଦଳ ଏକ, ଦଳର ମୁଖ୍ୟ ଏକ କିନ୍ତୁ ନୀତି ଅନେକ । ଅର୍ଥାତ୍ ଯେପର୍ଯ୍ୟନ୍ତ ଦଳ ପାଇଁ କୌଣସି ନେତା ସାଧନ ହୋଇ ରହିଛନ୍ତି, ଦଳ ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି, ଦଳର ସମସ୍ତ ଦୋଷ ଦୁର୍ବଳତାକୁ ମୁଣ୍ଡ ପାତି ସହ୍ୟ କରୁଛନ୍ତି, ସେ ପର୍ଯ୍ୟନ୍ତ ଦଳ ନେତାଙ୍କୁ ଅଭୟ ପ୍ରଦାନ କରୁଥିବ । ଦଳର ସୁପ୍ରିମୋଙ୍କ ଆଖିକୁ କିଛି ଦୃଶ୍ୟ ହେଉ ନ ଥିବ । କିନ୍ତୁ ଯେତେବେଳେ କେହି ମୁହଁ ଖୋଲିଲେ ସବୁ ସରିଗଲା ବୋଲି ଚର୍ଚ୍ଚା ହେଉଛି । ତେଣୁ ଏପରି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଆଣିବାକୁ ମୁଖ୍ୟମନ୍ତ୍ରୀ ଆଗେଇ ଆସିବା ଦରକାର । ନିଜ ସ୍ୱଚ୍ଛତା ପ୍ରତିପାଦନ କରି ନିଜ ପୂର୍ବ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବା ଉଚିତ ବୋଲି ମତବ୍ୟକ୍ତ କରନ୍ତି ବୁଦ୍ଧିଜୀବୀ ।