ଓଡିଶା

ଟ୍ରକ ଧକ୍କାରେ ମହିଳା ମୃତ୍ୟୁ, ରାସ୍ତା ଅବରୋଧ

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଛତ୍ରପୁର ତହସିଲ ଅନ୍ତର୍ଗତ ବଡମାଧପୁର ନିକଟ ରଙ୍ଗମାଟିଆ ଛକଠାରେ ଘଟିଛି ସଡକ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଇଛି ଟ୍ରକ ।
ସୂଚନାଯୋଗ୍ୟ, ହଂସପୁର ଗ୍ରାମର ଶିବୁ ଓ ତାଙ୍କ ସ୍ତ୍ରୀ ଶୋଭାମଣି ଏକ ସ୍କୁଟି ଯୋଗେ ପୁରୁଷୋତମପୁରକୁ ତାଙ୍କ ପୁଅ ନିମନ୍ତେ ବୋହୂ ଖୋଜିବାକୁ ଯାଉଥିବା ବେଳେ ବଡ଼ମାଧପୁର ରଙ୍ଗମାଟିଆ ଛକ ନିକଟରେ ଏକ ଟ୍ରକ୍ ବାଲି ଆଣିବା ନିମନ୍ତେ ରେମ୍ପ ଯିବା ରାସ୍ତାରେ ସ୍କୁଟିକୁ ଧକ୍କା ଦେଇଥିଲା। ଯାହା ଫଳରେ ସ୍କୁଟିର ପଛରେ ବସିଥିବା ଶୋଭାମଣି ତଳେ ପଡ଼ିଯାଇଥିଲେ ।ଟ୍ରକର ଚକା ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ଗ୍ରାମବାସୀ ମାନେ ଦୁର୍ଘଟଣା ସ୍ଥଳରେ ପହଂଚି ରାସ୍ତା ଅବରୋଧ କରିଥିଲେ। ଯାହା ଫଳରେ ମାଧପୁର ଠାରୁ ପୁରୁଷୋତମପୁର ଯାତାୟତ ବନ୍ଦ ରହିଥିଲା । ସ୍ଥାନୀୟ ଲୋକମାନେ କହିବା ଅନୁଯାୟୀ ଋଷିକୁଲ୍ୟା ନଦୀ ପଠା ଅଂଚଳରେ ବାଲି ଉତୋଳନ କରି ଆନ୍ଧ୍ରକୁ ଶହ ଶହ ଟ୍ରକରେ ବାଲି ଚାଲାଣ ହେବା ସହ ନଦୀରୁ ଯେତିକି ପରିମାଣରେ ଦୈନିକ ବାଲି ଉତୋଳନ କରିବା ଆବଶ୍ୟକ ରହିଛି । ତାହା ଠାରୁ ଅଧିକ ମାତ୍ରାରେ ଉତୋଳନ କରି ଚଢ଼ା ଦରରେ ବିକ୍ରି କରି ବାଲି ଦଲାଲମାନେ ମାଲାମାଲ ହେଉଛନ୍ତି । ବାଲି ରେମ୍ପକୁ ଦୈନିକ ଶହ ଶହ ଗାଡ଼ି ଯାତାୟତ କରିବାରୁ ବାରମ୍ବାର ଦୁର୍ଘଟଣା ଘଟି ବହୁ ନିରୀହ ଲୋକ ମୃତ୍ୟୁବରଣ କରି ଆସୁଛନ୍ତି। ଖବର ପାଇ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟ ରାୟ ଓ ତାଙ୍କ ଟିମ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଟ୍ରକ ଚାଳକକୁ ଅଟକ ରଖିଥିଲେ। ଗ୍ରାମ ନିକଟରେ ବାଲି ରେମ୍ପ୍ ଥିବାରୁ ସବୁ ବେଳେ ଏପରି ଦୁର୍ଘଟଣା ଘଟୁଛି ବୋଲି ଗ୍ରାମବାସୀମାନେ କହିଥିଲେ । ତୁରନ୍ତ ଏହି ରେମ୍ପର ବନ୍ଦ କରିବା ସହ ମୃତ ମହିଳାଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ମଧ୍ୟ ଦାବି କରାଯାଇଥିଲା । ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଓ ଅତିରିକ୍ତ ତହସିଲଦାର ଯଶ୍ମିନି ପ୍ରଧାନ, ସ୍ଥାନୀୟ ଆରଆଇ ଲୋକମାନଙ୍କୁ ବୁଝାସୁଝା କରିବା ସହ ରେଡ୍ କ୍ରସ୍ ଫଣ୍ଡରୁ ମୃତ ପରିବାରବର୍ଗଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହା ପରେ ରାସ୍ତା ଅବରୋଧ ହଟିଥିଲା । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଛତ୍ରପୁର ମେଡ଼ିକାଲକୁ ପଠାଇଛି।

Related posts

ହାତୀ ଭୟରେ ସ୍କୁଲ ଛୁଟି, କାବୁ କରିବାକୁ ବନ ବିଭାଗର ଉଦ୍ୟମ

mahabharatanews

ଆଜି ବଜ୍ରପାତରେ ଚାଲିଗଲା ଜୀବନ

mahabharatanews

ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ମିଳନ

mahabharatanews