ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଗତ ବର୍ଷ ମାର୍ଚ୍ଚ ମାସରୁ ଛୋଟ ପିଲାଙ୍କ ପାଠପଢା ବ୍ୟାହତ ହୋଇଛି । ଚଳିତ ଶିକ୍ଷା ବର୍ଷରେ ପିଲାଙ୍କ ପାଠ ପଢାକୁ ସ୍ୱାଭାବିକ କରିବାକୁ ୟୁଟ୍ୟୁବ ପାଠପଢା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିବା ବେଳେ ଆଜିଠୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମରୁ ୧୦ମ ଶ୍ରେଣୀ ଯାଏଁ ପିଲାଙ୍କୁ ୟୁଟ୍ୟୁବରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଜୁଲାଇ ୩୧ ଯାଏଁ ଚାଲିବବାକୁ ଥିବା ବେଳେ । ଜୁଲାଇ ୭ ତାରିଖ ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ହେବ ।
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ସୋମବାରରୁ ଶୁକ୍ରବାର ସକାଳ ୧୦ଟା ୪୫ରୁ ଅପରାହ୍ନ ୧ଟା ଯାଏଁ ଦିନକୁ ୪ଟି ପିରିୟଡ୍ ହେବ । ସେହିପରି ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୯ଟାରୁ ୧୦ଟା ୩୦ ପର୍ୟ୍ୟନ୍ତ ହେବ । ୟୁଟ୍ୟୁବରେ ଯେଉଁ ବିଷୟ ପଢାଯିବ, ତାହା ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ଦେଖିବେ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ୱନ୍ଦ୍ୱକୁ ଚାଟ୍ ଓ ଭଏସ କଲ୍ ମାଧ୍ୟମରେ ଦୂର କରିବେ।