(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର କମନରୁମ ପରିସରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ କ୍ଲବ’ ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ମାନବ ସମ୍ବଳ ଓ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶାର ମିଳିତ ପ୍ରୋତ୍ସାହନରେ ଗଠିତ ହୋଇଥିବା ‘ଏକ ଭାରତ ଶ୍ରେଷ୍ଠ ଭାରତ କ୍ଲବ’ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ ଓ ଗଠନମୂଳକ ଚିନ୍ତାଧାରାର ଜାଗରଣ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବର୍ଷସାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଏହି କ୍ଲବ ପକ୍ଷରୁ ଆୟୋଜିତ ହୋଇଥାଏ । ଛାତ୍ରଛାତ୍ରୀମାନଙ୍କୁ ଦେଶର ବିିବିଧତା ଓ ଐତିହ୍ୟ ସମ୍ପର୍କରେ ସଚେତନ କରାଇବା କ୍ଲବର ଲକ୍ଷ୍ୟ ହୋଇଥାଏ । ତେବେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାକୁ ପ୍ରଫେସର ଗୋପାଳକୃଷ୍ଣ ପଣ୍ଡା, ପ୍ରଫେସର ଅଜୟ କୁମାର ଦାଶ ଓ ପ୍ରଫେସର ଶଙ୍କର ପ୍ରସାଦ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।
previous post