(ମହାଭାରତ, କୋଣାର୍କ): ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସରକାରୀ ହାଇସ୍କୁଲରୁ ୨ ଜଣ ଛାତ୍ର ନିଖୋଜ ହୋଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ବର୍ତ୍ତମାନ ସୁଦ୍ଧା ନିଖୋଜ ବାଳକମାନଙ୍କ କୌଣସି ପତ୍ତା ନମିଳିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଅଭିଭାବକମାନେ ଦାୟୀ କରିଛନ୍ତି । ସୂଚନା ଅନୁଯାୟୀ, ନିଖୋଜ ହୋଇଥିବା ନାବାଳକ ଛାତ୍ର ଦୁହେଁ ସପ୍ତମ ଶ୍ରେଣୀର ମିଥୁନ ଦାସ ଓ ନବମ ଶ୍ରେଣୀର ସଞ୍ଜୟ ଦାସ ବୋଲି ଜଣାପଡିଛି । ଉଭୟେ ଗତ ଗୁରୁବାର ରାତିରୁ ନିଖୋଜ ଥିବା ଜଣାଯାଇଛି । ଖବର ପାଇ କୋଣାର୍କ ପୋଲିସ ସନ୍ଧାନ ଜାରି ରଖିଥିଲେ ମଧ୍ୟ ଛାତ୍ରଙ୍କ କୌଣସି ପତ୍ତା ମିଳିପାରିନାହିଁ । ଅନ୍ୟପଟେ ନିଖୋଜ ଛାତ୍ର ଦୁହିଁଙ୍କ ପରିବାର ଲୋକେ ହଷ୍ଟେଲ ପରିଚାଳନା ଦାୟୀତ୍ୱରେ ଥିବା ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଭାବକ ମାନେ ଗେଟ୍ ଭାଙ୍ଗି ସ୍କୁଲ ଭିତରେ ପସିଛନ୍ତି । ଘଟଣାକୁ ନେଇ ନିଖୋଜ ନାବାଳକ ଦୁହିଁଙ୍କ ବାପା ମାଆ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବାକ୍ ଯୁଦ୍ଧ ହୋଇଥିବା ମଧ୍ୟ ଜଣାପଡିଛି । ନିଖୋଜ ଛାତ୍ର ଦ୍ୱୟଙ୍କୁ ଖୋଜିବା ପାଇଁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
previous post