ଭୁବନେଶ୍ୱର, ଜୁନ୍ ୨୪, ୨୦୨୬: ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓ.ଏସ୍.ଡି.ଏମ୍.ଏ) ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତା ପ୍ରସ୍ତୁତିର କଡ଼ା ସମୀକ୍ଷା ଏବଂ ଅଡିଟ୍ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ନୂତନ ଶିକ୍ଷାବର୍ଷ ଆରମ୍ଭ ସମୟରେ ସୁରକ୍ଷା ନିୟମର କୌଣସି ପ୍ରକାର ସାଲିସ୍ କୁ କରାଯିବ ନାହିଁ।
ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡି. ଡି. ଏମ୍.ଏ) ର ଅଧ୍ୟକ୍ଷମାନଙ୍କୁ ଏକ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମାରେ ସ୍ପେସଆଲ ରିଲିଫ କମିଶନର (ଏସ୍ ଆର୍ ସି) ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓ.ଏସ୍.ଡି.ଏମ୍.ଏ) ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ ଗୁରୁତ୍ୱାରୋପ କରିଛନ୍ତି ଯେ ଛାତ୍ରଛାତ୍ରୀ, ପ୍ରଶିକ୍ଷାର୍ଥୀ, ଶିକ୍ଷକ ଏବଂ ସହଯୋଗୀ କର୍ମଚାରୀମାନଙ୍କ ସୁରକ୍ଷା ସର୍ବୋପରି ଅଟେ।
ନୂତନ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବାରୁ, ଓଡ଼ିଶା ଅଗ୍ନି ପ୍ରତିରୋଧ ଏବଂ ଅଗ୍ନି ନିରାପତ୍ତା ନିୟମାବଳୀ, ୨୦୧୭, ଓଡ଼ିଶା ଅଗ୍ନି ପ୍ରତିରୋଧ ଏବଂ ଅଗ୍ନି ନିରାପତ୍ତା (ସଂଶୋଧନ) ନିୟମାବଳୀ, ୨୦୨୫ ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ସୁରକ୍ଷା ନିୟମର କଡ଼ା ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ କ୍ଷେତ୍ର ପରିଦର୍ଶନ ଓ ଯାଞ୍ଚ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
