(ମହାଭାରତ, ଦିଗପହଣ୍ଡି): ଦିଗପହଣ୍ଡି ବ୍ଲକ ଖମାରି ଗ୍ରାମ ପଞ୍ଚାୟତର ବାଲିଘାଇ ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟ କୈଠଖଣ୍ଡି ପଞ୍ଚାୟତ ନୂଆଗଡ ଗାଁର ପ୍ରଶାନ୍ତ ପ୍ରଧାନ ଓ ମଙ୍ଗଳା ପ୍ରଧାନ ବୋଲି ଜଣାପଡିଛି । ଆହତ ଜଣକ ସେହି ଗାଁର ପ୍ରବୀଣ ପ୍ରଧାନ । ରବିବାର ଅପରାହ୍ନରେ ଏହି ଦୂର୍ଘଟଣା ଘଟିଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଏହି ୩ ଜଣ ସାଙ୍ଗ ବାଇକରେ ପେଟ୍ରାଲ ପକାଇବା ପାଇଁ ବୁରାଡାଙ୍ଗ ଗାଁ ଛକକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ରାସ୍ତାରେ ବାଇକ୍ରୁ ନିୟନ୍ତ୍ରଣ ହରାଇ ପ୍ରଥମେ ରାସ୍ତାକଡ ଗଛରେ ଧକ୍କା ଖାଇବା ପରେ ଘୋଷାରି ହୋଇ କିଛି ଦୂରରେ ଥିବା ଏକ କଲଭର୍ଟରେ ପିଟି ହୋଇଯାଇଥିଲେ । ବାଇକ୍ର ଗତି ଏତେ ତୀବ୍ର ଥିଲା ଯେ ତାହା ଗଛରେ ପିଟି ହେବା ପରେ ରାସ୍ତାକଡର ପ୍ରାୟ ୨୦ ଫୁଟ ଦୂର ଚାଷ ଜମିର ଖାଲ ମଧ୍ୟକୁ ଖସି ପଡିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣକୁ (ପ୍ରଶାନ୍ତ ପ୍ରଧାନ)ଙ୍କୁ ମୃତ ଘୋଷଣା କରିଥିଲେ । ସେଠାରେ ଅନ୍ୟ ଆହତ ଦ୍ୱୟଙ୍କ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳା ପ୍ରଧାନଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ନୁଆଗାଁ ପୋଲିସ ପ୍ରଶାନ୍ତଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ନପୁର ଡାକ୍ତରଖାନା ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
previous post
