(ନୂଆଦିଲ୍ଲୀ): ଗତ ରବିବାର ଜେଏନୟୁରେ ଘଟିଥିବା ହିଂସାକାଣ୍ଡରେ ଗୁରୁତର ଆହତ ହୋଇଥିବା ଛାତ୍ର ସଂସଦ ସଭାପତି ଆଇଶି ଘୋଷଙ୍କ ନାଁରେ ପୋଲିସ ଏତଲା ରୁଜୁ କରିଛି । ଆଇଶିଙ୍କ ସହ ଅନ୍ୟ ୧୯ ଜଣଙ୍କ ନାଁରେ ମଧ୍ୟ ଏଫଆଇଆର ରୁଜୁ ହୋଇଛି । ଆଇଶି ଓ ତାଙ୍କ ସମର୍ଥକମାନେ ଜାନୁଆରୀ ୪ରେ ଜେଏନୟୁ ସର୍ଭର ରୁମରେ ଭଙ୍ଗାରୁଜା କରିଥିବା ଅଭିଯୋଗରେ ଜେଏନୟୁ କର୍ତ୍ତୃପକ୍ଷ ଏଫଆଇ ଦାଖଲ କରିଥିଲେ । ଯାହାକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି ।
ଜେଏନୟୁ ପ୍ରଶାସନ ପକ୍ଷରୁ ପ୍ରଥମେ ଜାନୁଆରୀ ୩ରେ ଏକ ଏଫଆଇଆର ଦାଖଲ ହୋଇଥିଲା । ଏହାପରେ ୪ ତାରିଖରେ ଛାତ୍ର ସଂସଦ ସଭାପତି ଓ ଅନ୍ୟ ୮ଜଣଙ୍କ ନାଁରେ ଆଉ ଏକ ଏଫଆଇଆର ଦିଆଯାଇଥିଲା । ଏଥିରେ ସେମାନେ କେଉଁଭଳି ଭାବେ ବିଶ୍ୱବିଦ୍ୟାଳୟର ଫି’ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରୁଥିଲେ ସେ ବିଷୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଉଲ୍ଲେଖ କରିଥିଲେ । ଫି ବୃଦ୍ଧିକୁ ବିରୋଧ କରି ସେମାନେ ସେମିଷ୍ଟର ପଞ୍ଜୀକରଣକୁ ବନ୍ଦ କରିବା ସହ ସର୍ଭର ରୁମରେ ଭଙ୍ଗାରୁଜା କରିଥିଲେ । ଶନିବାର ସକାଳେ ସର୍ଭରକୁ କିଛି ଛାତ୍ରଛାତ୍ରୀ ଅଚଳ କରିଦେଇଥିଲେ । ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଚାଲୁ କରିଥିଲେ । ତେବେ ପୁଣି ମଧ୍ୟାହ୍ନ ୧ଟା ବେଳେ ସର୍ଭର ରୁମକୁ କିଛି ଛାତ୍ର ପଶି ଭାଙ୍ଗି ଦେଇଥିଲେ । ଏହା ଦ୍ୱିତୀୟ ଥର ପାଇଁ ଅପରାହ୍ନ ୪ଟାରେ କାର୍ଯ୍ୟକ୍ଷମ ହୋଇଥିଲା । ଫି ବୃଦ୍ଧି ପ୍ରତିବାଦରେ ଏପରି କରାଯାଇଥିବା ଜେଏନୟୁ ପ୍ରଶାସନ ଦାଖଲ କରିଥିବା ଏଫଆଇଆର ରିପୋର୍ଟରେ ଦର୍ଶାଯାଇଛି ।
ସୂଚନାଯୋଗ୍ୟ, ଜାନୁଆରୀ ୪ରେ ସର୍ଭର ରୁମ ଭଙ୍ଗାରୁଜା ହେବା ପରେ ୫ତାରିଖରେ ମୁଖାପିନ୍ଧା ଦୁର୍ବୃତ୍ତମାନେ ଜେଏନୟୁ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିଲେ । ଏଥିରେ ଛାତ୍ର ସଂସଦ ସଭାପତିଙ୍କ ସମେତ ୩୪ ଜଣ ଆହତ ହୋଇଛନ୍ତି ।