ଦୀପକ ମିଶ୍ର/ ଉଦଳା: ମହୁ ସଂଗ୍ରହ କରିବାକୁ ଯିବା ହେଲା କାଳ । ମହୁ ସଂଗ୍ରହ କରିବାକୁ ସାତ ଜଣ ସାଙ୍ଗ ହୋଇ ଯାଇଥିଲେ ଜଙ୍ଗଲକୁ । ସେଠାରେ ଗଛରେ ତିନି ଜଣ ଚଢି ମହୁ ସଂଗ୍ରହ କରୁଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ମାଙ୍କଡ଼ପଡା ପଞ୍ଚାୟତର ଚେମଚଟା ଗ୍ରାମରେ । ଚେମଚଟା ଗ୍ରାମର ସାତ ଜଣ ଯୁବକ ଗତକାଲି ସନ୍ଧ୍ୟା ସମୟରେ ନିକଟସ୍ଥ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇଥିଲେ । ମହୁଫେଣା ନିକଟରେ ପହଁଚିବା ପରେ ସୋନିଆ ଭକ୍ତ ଏବଂ ତାଙ୍କର ଅନ୍ୟ ଦୁଇଜଣ ସାଥି ରଞ୍ଜନ କଟୁଆଳ ଏବଂ ଆକାଶ ନାୟକ ମହୁ ସଂଗ୍ରହ କରିବା ନିମନ୍ତେ ଗଛକୁ ଚଢ଼ିଥିଲେ । ସେହି ସମୟରେ ମହୁଫେଣାରେ ଥିବା ମହୁମାଛି ଉଡିବା ସହିତ ଆକ୍ରମଣ କରିଥିଲେ । ମହୁମାଛି ଆକ୍ରମଣରେ ସୋନିଆ ଭୋକ୍ତା ଗୁରୁତର ହୋଇଥିବାବେଳେ ଅନ୍ୟ ଦୁଇ ସାଥି ଆହତ ହୋଇଥିଲେ । ସୋନିଆଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ସାଙ୍ଗରେ ଯାଇଥିବା ଅନ୍ୟ ଚାରି ଯୁବକ ଅଳ୍ପକେ ବର୍ତି ଯାଇଥିଲେ । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
previous post
next post