କେନ୍ଦ୍ରାପଡା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର ହୋଇଥିବା ଚିକିତ୍ସା ସହାୟତା ପାଣ୍ଠି ବାବଦ ୩୫ହଜାର ଟଙ୍କାର ଚେକ ପ୍ରଦାନ ନିମନ୍ତେ ସୋମବାର ଜିଲ୍ଲାର ମହାକାଳପଡା ତହସିଲର ନାଜର ଚନ୍ଦ୍ରକାନ୍ତ ହାଂସଦା ଏକ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ଖବରରୁୁ ପ୍ରକାଶ, ମହାକାଳପଡା ତହସିଲ ଅନ୍ତର୍ଗତ ଦିଲ୍ଲିପ କୁମାର ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ବ୍ରେନ ଟ୍ୟୁମରର ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୫ହଜାର ଟଙ୍କା ମଞ୍ଜୁର ହୋଇଥିଲା । ସେହି ଚେକ ପ୍ରଦାନ ନିମନ୍ତେ ମହାକାଳପଡା ତହସିଲଦାର ନାଜର ଚନ୍ଦ୍ରକାନ୍ତ ହାଂସଦା ତାଙ୍କ ଏକ ହଜାର ଟଙ୍କା ଲାଂଚ ଦାବି କରିଥିଲେ । ଏ ନେଇ ଦିଲ୍ଲିପ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିବା ପରେ କଟକ ଭିଜିଲାନ୍ସ କେଶ ନମ୍ବର ୨/୨୦ରେ ଏକ ମାମଲା ରୁଜୁ କରିବା ସହ ସୋମବାର ଦିଲ୍ଲିପଙ୍କ ଠାରୁ ନାଜର ଶ୍ରୀ ହାଂସଦା ରାସାୟନିକ ଲେପ ଦିଆଯାଇଥିବା ୨ଟି ପାଂଚଶହ ଟଙ୍କିଆ ନୋଟ ନେଉଥିବା ସମୟରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ ହାତରେ ଧରାପଡିଥିଲେ । ଶ୍ରୀ ହାଂସଦାଙ୍କ ହାତ ପାଣିରେ ବୁଡାଇବାରୁ ତାଙ୍କ ହାତରୁ ନାଲିରଙ୍ଗର ପାଣି ବାହାରିଥିଲା । ଫଳରେ ତାଙ୍କୁ ଗିରଫ କରାଯିବା ସହ ତାଙ୍କ ଜମ୍ବୁସ୍ଥିତ ବାସଭବନ ଉପରେ ଚଢାଉ କରାଯାଇଥିଲା ଓ ଅଫିସ କାଗଜପତ୍ରକୁ ଯାଂଚ କରାଯାଇଥିଲା ଭିଜିଲାନ୍ସ ଦ୍ୱାରା । ତାଙ୍କ ନିକଟରୁ ଜବତ ହୋଇଥିବା ୧୩ଲକ୍ଷ ୫୦ହଜାର ଟଙ୍କା ମଧ୍ୟରୁ ୨ଲକ୍ଷ ୨୬ହଜାର ୩୪୬ଟଙ୍କାର କୈାଣସି ହିସାବ ଦେବାରେ ହାଂସଦା ବିଫଳ ହୋଇଥିବା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାରାୟଣ ରାୟଗୁରୁ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପି ଶ୍ରୀ ରାୟଗୁରୁଙ୍କ ନେତୃତ୍ୱରେ ଏହି ଭିଜିଲାନ୍ସ ଚଢାଉ କରାଯାଇଥିଲା ।