କୁମାରୀଙ୍କ ପାଇଁ ଦିନଟିଏ । ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । ଏହି ପର୍ବକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଗଣ୍ଡା । ଭୋର ସମୟରୁ କୁଆଁରୀ ଝିଅ ମାନେ ଆଞ୍ଜୁଳି ଟେକିଛନ୍ତି । ନୂଆ ବସ୍ତ୍ର ପରିଧାନ କରି ଗାଁ ଦାଣ୍ଡରେ ବିଭିନ୍ନ ଖେଳ କୁଦର ଆୟୋଜନ କରିବାର ପରମ୍ପରା ରହିଛି। ଏବଂ ସନ୍ଧ୍ୟାରେ ତୁଳଶୀ ଚୌରା ମୂଳରେ ଉଦିତ ଚନ୍ଦ୍ରଙ୍କୁ ସ୍ମରଣ କରି ପୁନର୍ବାର ଆଞ୍ଜୁଳା ଟେକି ନିଜର ଭକ୍ତିପୁଷ୍ପ ଅର୍ପଣ କରି ନିଜର କାମନା ଜଣାଥାନ୍ତି। କୁମାର କାର୍ତ୍ତିକେୟଙ୍କ ପରି ସୁନ୍ଦର ବରଟିଏ ପାଇବା ପାଇଁ କୁମାରୀ ଝିଅ ମାନେ ଏହି ପର୍ବ କୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି ।

ସେପଟେ ଆଜିଠାରୁ ପବିତ୍ର ଗଜଲକ୍ଷ୍ମୀ ପୂଜା । ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପରେ ପୂଜା ପାଇବେ ଧନଧାନ୍ୟର ଦେବୀ ମାଆ ଗଜଲକ୍ଷ୍ମୀ ।ଏହା ଏକ ଧାର୍ମିକ ବିଶ୍ୱାସ ଯେ ଏହାଦ୍ୱାରା ଧନଧାନ୍ୟ ପ୍ରାପ୍ତି ହୋଇଥାଏ ଓ ଶରୀର ନିରୋଗୀ ରହେ। ଏହି ପବିତ୍ର ଦିବସ ପାଳନ କରିବାର ଅନେକ ଲାଭ ରହିଛି । ଆଧ୍ୟାତ୍ମିକ ଉନ୍ନତି ସହିତ ଏହିଦିନର ବୈଜ୍ଞାନିକ କାରଣ ଅନେକ ରହିଛି।

