(ନୂଆଦିଲ୍ଲୀ): ଜାମିଆ ୟୁନିଭର୍ସିଟି ହିଂସା ଘଟଣାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କୁ ମିଳିଥିବା କ୍ଲିନ ଚିଟ୍କୁ ଦିଲ୍ଲୀର ଏକ କୋର୍ଟ ଖାରଜ କରିଛନ୍ତି । ଜାମିଆ ହିଂସା ବେଳେ ସରକାରୀ ବସ ଜଳାପୋଡାରେ ପୋଲିସ ସାମିଲ ଥିବା ନେଇ ପୂର୍ବରୁ ସିସୋଦିଆ ଟ୍ୱିଟ କରିଥିଲେ । ଏହାକୁ ନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ପରେ ସେ ସେଭଳି କୌଣସି ବଡ ଅପରାଧ କରିନଥିବା ଦର୍ଶାଯାଇ ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କୁ କ୍ଲିନ ଚିଟ୍ ଦେଇଥିଲା । ତେବେ ସୋମବାର ଏହି ମାମଲାର ଶୁଣାଣି ବେଳେ ସିସୋଦିଆଙ୍କୁ ମିଳିଥିବା କ୍ଲିନ ଚିଟ୍କୁ କୋର୍ଟ ଖାରଜ କରିଦେବା ସହ ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ନୂତନ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ବେଳେ ତିଲକ ମାର୍ଗ ପୋଲିସ ଦାଏର କରିଥିବା ଆକ୍ସନ ଟେକେନ ରିପୋର୍ଟ (ଏଟିଆର) ଗୁଡିକ ଉପରେ ଆଇନଜିବୀ ଅଲଖ ଶ୍ରୀବାସ୍ତବ ପ୍ରଶ୍ନ ଉଠାଇଥିଲେ । ଘଟଣାକୁ ପ୍ରାୟ ଦେଢ ମାସ ସମୟ ବିତି ଯାଇଛି । ତେବେ ଏଭଳି ମାମଲାରେ ପୋଲିସ ଏଯାଏ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଏବଂ ସୂଚନା ଓ ପ୍ରଯୁକ୍ତି ଆଇନ ଅନୁଯାୟୀ ଧାରା ଲଗାଇନାହିଁ ବୋଲି ସେ କହିଥିଲେ । ପୂର୍ବରୁ ଜାମିଆ ହିଂସାକୁ ନେଇ ସିସୋଦିଆ ଗୁଜବ ପ୍ରଚାର କରୁଥିବା ଦର୍ଶାଇ ଦିଲ୍ଲୀ ପୋଲିସ ଏତଲା ରୁଜୁ କରିଥିଲା । ତେବେ ମାମଲା କୋର୍ଟକୁ ଆସିବା ପରେ ଏଟିଆର ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୁଚନାଯୋଗ୍ୟ, ଡିସେମ୍ବର ୧୫ ତାରିଖରେ ହିଂସା ବେଳେ ଜାମିଆ ନଗଗରେ ପୋଲିସ ସରକାରୀ ବସଗୁଡିକ ଉପରେ ବ୍ୟାରେଲ ଧରି କିଛି ତରଳ ପଦାର୍ଥ ଢାଳୁଥିବାର ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାକୁ ନେଇ ଦିଲ୍ଲୀ ପୋଲିସ ହିଂସାରେ ସାମିଲ ଥିବା ନେଇ ଟ୍ୱିଟ କରିଥିଲେ । ଯାହାର ଶୁଣାଣି ସୋମବାର ଦିଲ୍ଲୀର ଏକ କୋର୍ଟରେ ହୋଇଥିଲା ।
next post