ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ମାର୍କିଂରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍ଲାଇନ୍ରେ ପରୀକ୍ଷା ଆସନ୍ତା ୫ ତାରିଖରୁ ଫର୍ମ ଫିଲପ୍ ପ୍ରକ୍ରିୟା ଆରମ୍ଭ ହେବ। ଜୁଲାଇ ୧୪ ତାରିଖ ପର୍ୟ୍ୟନ୍ତ ଫର୍ମ ଫିଲପ୍ ଚାଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ସୂଚନା ଦେଇଛନ୍ତି। । କୋଭିଡ୍ ଗାଇଡ୍ଲାଇନ୍ ପାଳନ କରି ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ପରୀକ୍ଷା ହେବ ।
ମନ୍ତ୍ରୀ ଦାଶ କହିଛନ୍ତି, ୩୦% ସିଲାବସ୍ ହ୍ରାସ ହୋଇ ୭୦% ର ପରୀକ୍ଷା ହେବ। ଆଉ ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯିବ। ତେଣୁ ଫଳାଫଳକୁ ନେଇ ଯେଉଁମାନଙ୍କର ସନ୍ଦେହ ରହିଛି, ସେମାନେ ଫର୍ମ ଫିଲପ୍ କରନ୍ତୁ।
ଚଳିତ ଥର କୋଭିଡ ପାଇଁ ପରୀକ୍ଷା କରାଯାଇନାହିଁ । ପୂର୍ବ ବର୍ଷର ନମ୍ବର ଆଧାରରେ ପିଲାଙ୍କୁ ନମ୍ବର ଦିଆଯାଇଛି । ମୋଟ୍ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୯୭.୮୯% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଫଳାଫଳ ବାହାରିବା ପରେ ବହୁ ଛାତ୍ରଛାତ୍ରୀ ସେମାନଙ୍କ ନମ୍ବରକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ରାସ୍ତାକୁ ମଧ୍ୟ ଓହ୍ଲାଇଥିଲେ । ଏହା ପରେ ସରକାର ଅଫଲାଇନ ପରୀକ୍ଷା ପାଇଁ ନିଷ୍ପତ୍ତି ନେଇଛନ୍ତି ।
