(ମହାଭାରତ, ପାଲଲହଡା): ପାଲଲହଡା ବିଧାୟକ ମୁକେଶ ପାଳ ରବିବାର ଖମାର ଥାନା ଅଧୀନ ମୁଣ୍ଡୁରୀବେଡା ଠାରେ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇ ହଟହଟା ହୋଇଥିଲେ । ରବିବାର ବିଧାୟକ ଏକ କଲ୍ୟାଣ ମଣ୍ଡପର ଉଦଘାଟନ କରିବାକୁ ଯାଇଥିଲେ । ସେଠାରେ ତାଙ୍କୁ ବିରୋଧ କରାଯାଇଥିଲା । ଫଳରେ ସେ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ପାରି ଫେରି ଆସିବାକୁ ବାଧ୍ୟ ହୋଇଥିଲେ ।
ସୂଚନା ଅନୁଯାୟୀ, ମୁଣ୍ଡୁରିବେଡା ହିଙ୍ଗୁଳା କ୍ରିକେଟ କ୍ଲବର ଚାଲିଥିବା କ୍ରିକେଟ ପ୍ରତିଯୋଗିତା ଉଦଯାପନୀ ସଭାରେ ପାଲଲହଡା ବିଧାୟକ ମୁକେଶ ପାଳ ଯୋଗ ଦେବାକୁ ଯାଇଥିଲେ । ଏହି ଅବସରରେ ଏକ କଲ୍ୟାଣ ମଣ୍ଡପର ଉଦଘାଟନ କାର୍ଯ୍ୟକ୍ରମ ମଧ୍ୟ ଥିଲା । ତେବେ ଏହାକୁ ଉଦଘାଟନ କରିବାକୁ ଯିବା ବେଳେ ସରପଞ୍ଚ ଜନନୀ ସାହୁ କଲ୍ୟାଣ ମଣ୍ଡପ କାମ କରି ପାଉଣା ପାଇ ନ ଥିବା କହି ମଣ୍ଡପର ଉଦଘାଟନ କରିବାକୁ ଦେଇ ନ ଥିଲେ । ପରେ ଗାଁ ଲୋକେ କଲ୍ୟାଣ ମଣ୍ଡପରେ ଆଉ କିଛି କାମ ବାକି ରହିଥିବା ଦର୍ଶାଇ ଉଦଘାଟନୀ କାର୍ଯ୍ୟକ୍ରମ ସହ ବିଧାୟକଙ୍କୁ ବିରୋଧ କରିଥିଲେ । ଫଳରେ ବିଧାୟକ ଉଦଘାଟନରେ ଯୋଗ ଦେଇ ନ ପାରି ସେଠାରୁ ଫେରିବାକୁ ବାଧ୍ୟ ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସରପଞ୍ଚ ଜନନୀ ସାହୁ ଓ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲା ।