(ନୂଆଦିଲ୍ଲୀ): ଉତ୍ତରପ୍ରଦେଶର ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ହତ୍ୟା କରିବା ମାମଲାରେ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ରାୟ ଶୁଣାଇଛନ୍ତି । ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂ ସେନଗାରଙ୍କୁ ଏହି ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ହତ୍ୟା ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣ ମିଳିବା ପରେ କୋର୍ଟ ତାଙ୍କୁ ଦୋଷୀ ଠହରାଇଛନ୍ତି । ଆଇପିସି ଧାରା ୧୨୦ (ବି)- (ଅପରାଧିକ ଷଡଯନ୍ତ୍ର) ଅନୁଯାୟୀ ତାଙ୍କୁ ଦୋଷୀ ସାବ୍ୟସ୍ତ କାରଯାଇଛି । ପୀଡିତାଙ୍କ ବାପାଙ୍କୁ ବିଚାର ବିଭାଗୀୟ ହେପାଜତରେ ମାଡ଼ ମରାଯିବାରୁ ତାଙ୍କ ମୃତ୍ୟୁ ହୋଇଥିଲା । ମାର୍ଚ୍ଚ ୧୨ରେ ଏନେଇ ସେନଗାରଙ୍କୁ ଦଣ୍ଡିତ କରାଯିବ ବୋଲି କୋର୍ଟ କହିଛନ୍ତି । ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଥିବା କନଷ୍ଟେବଲ ଆମୀର ଖାନ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ।
ଉନ୍ନାଓ ପୀଡିତାଙ୍କ ବାପା ଚିଚାର ବିଭାଗୀୟ ହେପାଜତରେ ଥିବା ବେଳେ ୨୦୧୮ ଏପ୍ରିଲରେ ତାଙ୍କର ମୃତ୍ୟୁ ହୋଇଥିଲା । ପୀଡିତାଙ୍କ ବାପାଙ୍କୁ ହାଜତରେ ମାଡ଼ ମରାଯିବା ସହ ଏକ ମାମଲାରେ ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ନେଇ ପଚରାଉଚରା କରିଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ମୋଟ ୧୧ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କୋର୍ଟ ସେନଗାରଙ୍କ ସମେତ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟରେ ସେନଗାର ନିଜକୁ ନିର୍ଦ୍ଦୋଷ ବୋଲି କହୁଥିଲେ ମଧ୍ୟ ବିଚାରପତି ତାହାକୁ ଗୁୁରୁତ୍ୱ ଦେଇ ନଥିଲେ । ସୂଚନାଯୋଗ୍ୟ, ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେନଗାର ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।