ନୂଆଦିଲ୍ଲୀ: ଆଫ୍ରିକାରେ ପ୍ରଥମ କରି ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଚିନ୍ତା ବଢାଇଛି । ୫ ଦିନରେ ଏହା ୧୦୦ରୁ ବୃଦ୍ଧି ପାଇ ୨୦୦ ଟପି ଯାଇଛି । ବର୍ତ୍ତମାନ ୧୫ ରାଜ୍ୟରେ ୨୩୦ଟି ଓମିକ୍ରନ ମାମଲା ସାମ୍ନାକୁ ଅ।।ସିଛି । ତେବେ ଆଶ୍ୱସ୍ତିର ବିଷୟ, ଓମିକ୍ରନ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଇବା ପରି ଆକ୍ରାନ୍ତ ମଧ୍ୟ ସେହି ବେଗରେ ସୁସ୍ଥ ହେଉଛନ୍ତି । କିନ୍ତୁ ଏହା ଡେଲ୍ଟା ଠାରୁ ଅଧିକ ସଂକ୍ରାମକ ଥିବା କେନ୍ଦ୍ର ପକ୍ଷରୁ ସତର୍କ କର।।ଯାଇଛି ।
ଡିସେମ୍ବର ୨ ତାରିଖ । ଦେଶରେ ପ୍ରଥମ ଓମିକ୍ରନ ଚିହ୍ନଟ ହୋଇଥିଲା । କର୍ଣ୍ଣାଟକର ବେଙ୍ଗାଲୁରୁରେ ଦୁଇ ଜଣ ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ସେହି ଦିନଠାରୁ ଆଜି ମଧ୍ୟରେ ଓମିକ୍ରନ ଦେଶରେ ୧୧୦ ଗୁଣ ବୃଦ୍ଧି ପାଇଛି । ଡିସେମ୍ବର ୨ ତାରିଖରେ ଦେଶରେ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪ ତାରିଖରେ ଏହା ୫୦ ଛୁଇଁଥିଲା । ଏହାର ୪ ଦିନ ପରେ ୧୦୦ ହୋଇଥିବା ବେଳେ ୨୧ ତାରିଖରେ ୨୦୦ ପାର କରିଯାଇଛି । ମାତ୍ର ୫ ଦିନରେ ମମଲା ଦୁଇ ଗୁଣା ବଢିଛି ।
ଓମିକ୍ରଣ ସଂକ୍ରମଣକୁ ନେଇ ଡବ୍ଲୁଏଚଓ ମଧ୍ୟ ଚିନ୍ତାବ୍ୟକ୍ତ କରିଥିଲା । ନଭେମ୍ବର ପ୍ରାରମ୍ଭରେ ଓମିକ୍ରନ ଦକ୍ଷିଣ ଆଫିକାରୁ ବାହାରିବା ପରେ ୨୬ ନଭେମ୍ବରରେ ଡବ୍ଲୁଏଚଓ ଏହି ଭାରିଆଣ୍ଟକୁ ଚିନ୍ତାଜନକ ଭାରିଆଣ୍ଟ ଘୋଷଣା କରିଥିଲା । ମାତ୍ର ଏକ ମାସରେ ଏହି ଭାରିଆଣ୍ଟ ବିଶ୍ୱର ୯୦ ଦେଶକୁ ବ୍ୟାପି ସାରିଛି ।
ଏହି ଭାରିଆଣ୍ଟକୁ କିପରି କରାଯିବ ଚିହ୍ନଟ? କଣ ରହିଛି ଏହାର ଲକ୍ଷଣ?
ଡେଲ୍ଟା ଠାରୁ ଓମିକ୍ରନର ଲକ୍ଷଣ ଭିନ୍ନ । ଡେଲ୍ଟାରେ ସଂକ୍ରମିତ ହେବା ପରେ ଜ୍ୱର, ଲଗାତାର କାଶ, ଛାତିରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଓ ଅକ୍ସିଜେନ ସ୍ତରକମ ହୋଇଯିବା ପରି ଲକ୍ଷଣ ଦେଖା ଦେଉଥିଲା । କିନ୍ତୁ ଓମିକ୍ରନର ଲକ୍ଷଣ ସ୍ୱରୂପ ଅଧିକ ହାଲିଆ ଓ ଶକ୍ତିହୀନତା ଅନୁଭୂତ ହୁଏ । ଖାଲି ଆରାମ କରିବାକୁ ଇଛାହୁଏ । ସେହିପରି ଗଳାରେ କଣ୍ଟା ଫୋଡି ହେବା ପରି ଲାଗେ । ଅନ୍ୟ ଭାରିଆଣ୍ଟ ପରି ଓମିକ୍ରନରେ ମଧ୍ୟ ହାଲକା ରୁ ପ୍ରବଳ ଜ୍ୱର ହୁଏ । ତେବେ ହାଲକା ଜ୍ୱର ହେଉଥିବା ଓମିକ୍ରନ ଆକ୍ରାନ୍ତ ମନକୁ ମନ ଭଲ ହୋଇଯାଉଥିବା ବିଶେଷଜ୍ଞ କହିଛନ୍ତି ।
ଏହା ବ୍ୟତୀତ ଏହି ଭାରିଆଣ୍ଟ ସଂକ୍ରମିତଙ୍କର ରାତିରେ ସାମୟିକ ଭାବେ ଝାଳ ବାହାରେ । ତେବେ ଏତେ ପରିମାଣରେ ଝାଳ ବୁହେ କି ପୋଷାକ ଓ ବିଛଣା ମଧ୍ୟ ଓଦା ହୋଇଯାଏ । ଏଥିସହ ଶରୀରରେ ପ୍ରବଳ ଯନ୍ତ୍ରଣା ଅନୁଭୂତ ହୁଏ । ଓମିକ୍ରନରେ ଅନ୍ୟ ଭାରିଆଣ୍ଟ ସଂକ୍ରମଣ ପରି ଶୁଖିଲା କାଶ ହୁଏ । ତେଣୁ ଏହିପରି ଲକ୍ଷଣ ଦେଖା ଦେଲେ ସତର୍କ ହେବା ସହ ଡାକ୍ତରୀ ପରାମର୍ଶ ନେବାକୁ କୁହାଯାଇଛି ।