(ମହାଭାରତ, ଟିଟିଲାଗଡ): ବେଙ୍ଗାଲୁରୁର ଏକ ଇଟା ଭାଟିକୁ କାମ କରିବାକୁ ଯାଇ ନିର୍ଯାତନାର ଶିକାର ହୋଇଥିବା ୨୦୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶୁକ୍ରବାର ସମସ୍ତ ଦାଦନ ଶ୍ରମିକ ଏକ ଟ୍ରେନରେ ଟିଟିଲାଗଡରେ ପହଞ୍ଚିଛନ୍ତି । ରାଜ୍ୟ ଶ୍ରମ ବିଭାଗ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିଛି । ଉକ୍ତ ଶ୍ରମିକ ମାନେ ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡା, ବରଗଡ ଓ ବୌଦ୍ଧ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ମହିଳା, ଶିଶୁ ଓ ନାବାଳକ ଅଛନ୍ତି । ଦାଦନ ଶ୍ର୍ରମିକମାନେ ନିଜ ଅଞ୍ଚଳରେ କାମ ଧନ୍ଦା ନ ପାଇ ଗତ ଅକ୍ଟୋବର ମାସରୁ ପରିବାର ଲୋକଙ୍କୁ ନେଇ ବେଙ୍ଗାଲୁରୁ ଉର୍ବାନ ଜିଲ୍ଲାର ପି.ଭି. ଗଣେଶ ଇଟା ଭାଟିରେ କାମ କରିବାକୁ ଯାଇଥିଲେ । କିନ୍ତୁ ଇଟାଭାଟି ମାଲିକ ସେମାନଙ୍କୁ ଠିକ୍ ଭାବେ ଖାଇବାକୁ ଦେଉ ନଥିଲା । ଏଥିସହିତ ସେମାନେ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିଲେ । ଏନେଇ କର୍ଣ୍ଣାଟକ ଶ୍ରମ ବିଭାଗ ଓ କିଛି ସ୍ୱେଚ୍ଛାସେବୀ ସଂଗଠନ ଜାଣିପାରି ଓଡ଼ିଶା ଶ୍ରମ ବିଭାଗକୁ ଯୋଗାଯୋଗ କରିଥିଲେ । ପରେ ରାଜ୍ୟ ଶ୍ରମ ବିଭାଗ ଶ୍ରମିକମାନଙ୍କୁ ଉଦ୍ଧାର କରି ରାଜ୍ୟକୁ ଫେରାଇ ଆଣିଛି । ଏହି ଶ୍ରମିକମାନଙ୍କୁ ସେମାନଙ୍କୁ ଗାଁକୁ ପଠାଇବା ସହ ଥଇଥାନ କରିବାର ଉଦ୍ୟମ କରାଯିବ ବୋଲି ବଲାଙ୍ଗୀର ଶ୍ରମ ବିଭାଗ ଶ୍ରମ ନିରୀକ୍ଷକ ନିରଞ୍ଜନ ଭୂୟାଁ କହିଛନ୍ତି ।
previous post
