(ଭୋପାଳ): ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସରକାରରେ ଅସ୍ଥିରତା ଦେଖାଦେଇଛି । । ମାର୍ଚ୍ଚ ୨୬ରେ ହେବାକୁ ଥିବା ରାଜ୍ୟସଭା ର୍ନିଚାଚନ ପୂର୍ବରୁ ରାଜ୍ୟରେ ଘୋଡା ବେପାର ସାଙ୍ଗକୁ ଦଳ ବଦଳ ରାଜନୀତି ଚାଲିଥିବା ଜୋର ଧରିଛି । ଏଠାରେ କମଲନାଥଙ୍କ ନେତୃତ୍ୱାଧୀନ ସରକାରକୁ ଭାଙ୍ଗିବା ପାଇଁ ବିଜେପି ୮ ଜଣ ବିଧାୟକଙ୍କୁ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି । ରାଜ୍ୟରେ ବିଜେପି ପକ୍ଷରୁ ଅପରେସନ ଲୋଟସ୍ ଆରମ୍ଭ ହୋଇଯାଇଥିବା ଚାରିଆଡେ ଚର୍ଚ୍ଚା ଚାଲିଛି । କମଲନାଥ ସରକାରଙ୍କ ଏହି ୮ ଜଣ ବିଧାୟକଙ୍କୁ ହରିଆଣା ଅଣାଯାଇ ଏକ ହୋଟେଲରେ ଅଟକ ରଖାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ବିଧାୟକମାନଙ୍କୁ ଗୁରୁଗାଓଁର ଏକ ହୋଟେଲରେ ରଖାଯାଇଥିବା କୁହାଯାଉଛି । ବିଧାୟକମାନଙ୍କୁ କିଣିବା ପାଇଁ ୩୦ରୁ ୩୫ କୋଟି ଟଙ୍କା ଦେବାକୁ ପ୍ରତିଶୃତି ମିଳିଥିବା ମଧ୍ୟପ୍ରଦେଶ ଉଚ୍ଚଶିକ୍ଷା ମନ୍ତ୍ରୀ ଜିତୁ ପଟ୍ଟୱାରୀ ଅଭିଯୋଗ କରିଛନ୍ତି । ଏଭଳି କାର୍ଯ୍ୟ କରି ବିଜେପି ଗଣତନ୍ତ୍ରର ହତ୍ୟା କରୁଥିବା ସେ କହିଛନ୍ତି । ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ପୂର୍ବତନ ମନ୍ତ୍ରୀ ନରୋତ୍ତମ ମିଶ୍ରା, ଭୁପେନ୍ଦ୍ର ସିଂ ଏବଂ ରାମପାଲ ସିଂଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଏହି ଷଡଯନ୍ତ୍ରରେ ସାମିଲ ଥିବା ପଟ୍ଟୱାରୀ କହିଛନ୍ତି । ଷଡଯନ୍ତ୍ର କରି ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକମାନଙ୍କୁ ହରିଆଣାର ଏକ ହୋଟେଲକୁ ନିଆଯାଇଛି । ବିଜେପି ନେତାମାନେ ହିଁ ଏମାନଙ୍କୁ ନେଇଛନ୍ତି । ଏଭଳି ଷଡଯନ୍ତ୍ରର ଶିକାର ହୋଇଥିବା ଜଣେ ଦଳୀୟ ବିଧାୟକ ତାଙ୍କୁ ସୂଚନା ଦେଇଥିବା ସେ ଅଭିଯୋଗ କରିଛନ୍ତି ।
ତେବେ ଏହି ଘଟଣା ବିଷୟରେ ଖବର ପାଇ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଓ ତାଙ୍କ ପୁଅ ଜୟବର୍ଦ୍ଧନ ସିଂ ଉକ୍ତ ହୋଟେଲରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ଦଳର କିଛି ବିଧାୟକଙ୍କୁ ଯୋଗାଯୋଗ କରିଥିଲେ । ପୋଲିସ ଓ ହୋଟେଲ କର୍ମଚାରୀମାନେ କିନ୍ତୁ ସେମାନଙ୍କୁ ଦେଖା କର।।ଇବାରେ ବାଧା ସୃଷ୍ଟି କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ବିଜେପି ଉକ୍ତ ମାନଙ୍କୁ ପ୍ରଲୋଭିତ କରୁଥିଲା । ସେମାନଙ୍କ ମଧ୍ୟରୁ ବିଏସପି ବିଧାୟକ ରାମବାଇ ସିଂ ଆମ ସହ ଫେରି ଆସିଛନ୍ତି । କିନ୍ତୁ ଏହାବାଦ ୩ ଜଣ ବିଧାୟକଙ୍କୁ କର୍ଣ୍ଣାଟକ ନିଆଯାଇଛି ବୋଲି କଂଗ୍ରେସର ଏହି ବରିଷ୍ଠ ନେତା କହିଛନ୍ତି ।
ଅନ୍ୟପଟେ କଂଗ୍ରେସ ଆଣିଥିବା ଅପରେସନ ଲୋଟସ କେତେଦୂର ସତ ସେ ନେଇ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦେଇଛନ୍ତି । କଂଗ୍ରେସ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ଏଭଳି ମତ ଦେଇ ରାଜନୀତିରେ ହଟଚମଟ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି । ସେହିପରି କଂଗ୍ରେସ ନେତାଙ୍କ ଏଭଳି ବିବୃତ୍ତିକୁ ଲୋକମାନେ ଏବେ ଗମ୍ଭୀରତାର ସହ ଗ୍ରହଣ କରୁନଥିବା ବିଜେପି ଉପାଧ୍ୟକ୍ଷ ରାମେଶ୍ୱର ଶର୍ମା କହିଛନ୍ତି । ଏହି ଅଭିଯୋଗକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ବିଧାୟକମାନେ ଫେରି ଆସିବେ । ସେମାନଙ୍କ ମଧ୍ୟରୁ ୪ ଜଣ କଂଗ୍ରେସ, ଜଣେ ସ୍ୱାଧୀନ ଓ ବାକି ବିଏସପି (ବହୁଜନ ସମାଜ ପାର୍ଟୀ) ଓ ଏସପି (ସମାଜବାଦୀ ପାର୍ଟି) ବିଧାୟକ ବୋଲି ଜଣାପଡିଛି ବର୍ତ୍ତମାନ କିନ୍ତୁ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି ।
ମଧ୍ୟପ୍ରଦେଶ ବିଧାନସଭାର ୨୩୦ ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ପାଖରେ ୧୧୪ ଜଣ ରହିଛନ୍ତି । ସେହିପରି ବିଜେପି ପାଖରେ ୧୦୭ ଜଣ ବିଧାୟକ ଅଛନ୍ତି । ନିର୍ବାଚନ ପରେ ଏହି ସଂଖ୍ୟା ୧୦୯ ଥିଲେ ମଧ୍ୟ ବିଭିନ୍ନ କାରଣରୁ ୨ ଜଣ ବିଧାୟକ ବିଜେପି ଠାରୁ ଦୂରେଇ ଯାଇଛନ୍ତି । କଂଗ୍ରେସ ବିଧାୟକଙ୍କ ସହାୟତାରେ ଏଠାରେ କମଲନାଥ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିଜେପି ପାଖରେ ୧୧୬ ବିଧାୟକଙ୍କ ସମର୍ଥନ ରହିବା ଜରୁରୀ ।
next post
