ଓଡିଶା

କରୋନା କଲା କାଙ୍ଗାଳ: ବ୍ୟବସାୟ ବୁଡିଲା ପରେ ହାତରେ ଭିକ୍ଷାଥାଳ

ସୂର୍ଯ୍ୟକାନ୍ତ ବେହେରା/ ମାଲକାନଗିରି: କରୋନା ପୂର୍ବରୁ ସେମାନେ ପଞ୍ଜାବରୁ ଆସିଥିଲେ ମାଲକାନଗିରି । ଉଦ୍ଦେଶ୍ୟ ଥିଲା ବ୍ୟବସାୟ କରି ଭଲ ଦି ପଇସା ରୋଜଗାର କରି ପୁଣି ଘରକୁ ଫେରିଯିବେ । ହେଲେ କରୋନା ପାଇଁ ଲାଗୁ ହୋଇଥିବା ଲକ୍ଡାଉନ ସେମାନଙ୍କ ଜୀବନର ମୋଡ଼ ବଦଳାଇ ଦେଲା । ପରିବାର ଲୋକେ ପଞ୍ଜାବକୁ ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ ଏଠାରେ ଫସି ଯାଇଛନ୍ତି ମା-ଝିଅ । ହାତରେ ଥିବା ଟଙ୍କା ସରିଯିବା ପରେ ପାଲଟି ଯାଇଛନ୍ତି ଭିକାରୁଣୀ । ପରିସ୍ଥିତି ଏମିତି ହୋଇଛି ଯେ, ବୃଦ୍ଧା ମାଆର ପାଦରେ ଏବେ ଚପଲଟିଏ ନାହିଁ । ଖରାରେ ବୁଲି ବୁଲି ଭିକ୍ଷାବୃତ୍ତି କରିବା ବେଳେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ରାତିରେ ପୌର ପରିଷଦର ବିଶ୍ରାମ ଗୃହରେ ଆଶ୍ରୟ ନେଉଛନ୍ତି । ପରିବାରଠୁ ଦୂରରେ ଏକାକୀ ମା-ଝିଅ ଅର୍ଥାଭାବରୁ ଜନ୍ମମାଟିକୁ ଫେରିପାରୁ ନାହାନ୍ତି ।

ଏଭଳି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲା ସଦର ମହକୁମାରେ । ପଞ୍ଜାବର ଲୁଧିଆନାରୁ ବଚାନାଙ୍କ ପରିବାର ବ୍ୟବସାୟ ଉଦ୍ଦେଶ୍ୟରେ ଆସିଥିଲେ ମାଲକାନଗିରି । ସାଙ୍ଗରେ ଆଣିଥିଲେ ଚିନାମାଟିର କପ୍, ପ୍ଲେଟ, ଥାଳିଆ ସହ ପ୍ଲାଷ୍ଟିକ ଫୁଲ ଏବଂ ବିଭିନ୍ନ ଖେଳନା ସାମଗ୍ରୀ । ଜିଲ୍ଲାର ବିଭିନ୍ନ ସ୍ଥାନରେ ବସୁଥିବା ଜାନିଯାତ୍ରାରେ ବୁଲି ବୁଲି ଏସବୁ ସାମଗ୍ରୀ ବିକ୍ରି କରୁଥିଲେ । ସେମାନଙ୍କ ସାମଗ୍ରୀ ସବୁ ବିକ୍ରି ହୋଇଯିବା ପରେ ଗତ ଫେବ୍ରୁଆରୀ ଶେଷ ଆଡକୁ ପୁଣିଥରେ ସାମଗ୍ରୀ ଆଣିବା ଲାଗି ପଞ୍ଜାବ ଚାଲିଯାଇଥିଲେ ବଚାନା ଓ ତାଙ୍କ ପୁଅ । ମାଲକାନଗିରିରେ ରହିଯାଇଥିଲେ ବଚାନାଙ୍କ ସ୍ତ୍ରୀ ସ୍ୱରପୀ ଓ ଝିଅ ସନ୍ତୋଷୀ । କିନ୍ତୁ ସେମାନେ ଆସି ଆଗରୁ ଲକ୍ଡାଉନ୍ ଜରି ହୋଇଗଲା। ବାପା ପୁଅ ଫେରିପାରିନଥିଲେ । ଏଣେ ମାଲକାନଗିରିରେ ଅଟକି ରହିଥିବା ସ୍ୱରପୀ ଓ ତାଙ୍କ ଝିଅ ସନ୍ତୋଷୀଙ୍କ ନିକଟରେ ଯାହାଟଙ୍କା ପଇସା ଥିଲା, ସବୁ ସରିଗଲା । ଲକଡାଉନ୍ ଲାଗି ସେମାନେ ବି ଲୁଧିଆନା ଫେରିପାରିଲେ ନାହିଁ । କିଛିଦିନ ଭୋକ ଉପାସରେ ରହିବା ପରେ ମା’ ଝିଅ ଏଠିସେଠି ମାଗିଯାଚି କେଇଦିନ ଖାଇଲେ । ଖରାରେ ବୁଲି ବୁଲି ସେମାନଙ୍କ ଦେହ ଅସୁସ୍ଥ ହୋଇଗଲା । ସ୍ୱରପୀ କହିଛନ୍ତି, କିଛିଦିନ ତଳେ ରାଜାରାମ ସାଇକେଲ ମାର୍ଟ ଦୋକାନ ନିକଟରେ ସେମାନେ ବିଶ୍ରାମ ନେଇଥିଲେ । ସେତେବେଳେ ଉଭୟ ଜ୍ୱରରେ ପୀଡିତ ଥିଲେ । ଏହାଦେଖି ଦୋକାନ ମାଲିକ ମୋହନଲାଲ ଛତ୍ରୀ ସେମାନଙ୍କ ପରିଚୟ ମାଗିଥିଲେ । ସବୁକଥା ଜାଣିବା ପରେ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହ ଡାକ୍ତରଖାନା ଯିବା ପାଇଁ ଟଙ୍କା ଦେଇଥିଲେ । ଚିକିତ୍ସିତ ହେବା ପରେ ସେମାନେ ସୁସ୍ଥ ହୋଇଥିଲେ ।

ଏବେ କୋଳହ ହୋଇଛି କରୋନା କଟକଣା । ହେଲେ ଏହି ମାଆ ଝିଅଙ୍କ ଅବସ୍ଥାରେ ଆଦୌ ସୁଧାର ଆସିନି । ରାତି ପାହିଲେ ସହରର ଦୋକାନ ଦୋକାନ ବୁଲୁଛନ୍ତି । ଭିକ୍ଷା ବୃତ୍ତି କରି ପେଟକୁ ଦାନା ମୁଠାଏ ଯୋଗାଡ଼ କରୁଛନ୍ତି । ଆଉ ରାତି ହେଲେ ପୌର ପରିଷଦର ବିଶ୍ରାମ ଗୃହରେ ଆଶ୍ରୟ ନେଉଛନ୍ତି । ଲୁଧିଆନାରେ ସେମାନଙ୍କ ଫେରିବା ବାଟକୁ ଅପେକ୍ଷା କରିଛନ୍ତି ପିଲା ପରିବାର । କିନ୍ତୁ ହାତରେ ଅର୍ଥ ନାହିଁ । ପରିସ୍ଥିତି ସେମାନଙ୍କୁ ବ୍ୟବସାୟୀରୁ ଭିକାରୁଣୀ କରିଦେବ-ସେକଥା କହିବା ବେଳେ ସ୍ୱରପୀଙ୍କ ଆଖିରୁ ଝରି ଆସିଥିଲା ଲୁହର ଧାର । ମାଆ-ଝିଅ ଏବେ ଅପେକ୍ଷା କରିଛନ୍ତି ଓଡ଼ିଶା ସରକାରଙ୍କ ପଦକ୍ଷେପକୁ, ଆର୍ଥିକ ସହାୟତାକୁ । ନହେଲେ ଘରକୁ ଫେରିବା ଆଶା ମଉଳିଯିବା ସହ ଜୀବନ ଅଧିକ ଦୁର୍ବିସହ ହୋଇପଡ଼ିବ । ବିକଳ୍ପ ଖୋଜି ନପାଇ ଶେଷରେ ପଞ୍ଜାବ ଫେରିବା ଲାଗି ଗଣମାଧ୍ୟମ ଜରିଆରେ ପ୍ରଶାସନ ପାଖରେ ଗୁହାରି କରିଛନ୍ତି ମା’ ଝିଅ ।

Related posts

ଦୁଇ ବର୍ଷ ହେବ ବିଜୁଳି ଅପେକ୍ଷାରେ ଚଳୁଛନ୍ତି ଗାଙ୍ଗଫୁଲା ଗ୍ରାମବାସୀ

mahabharatanews

ସୂଚନା ଓ ଲୋକ ସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ ଙ୍କ ୨ ଦିନିଆ ମୟୁରଭଞ୍ଜ ଗସ୍ତ

mahabharatanews

ଆସାମ: ଭୂସ୍ଖଳନରେ ୨୦ ମୃତ

mahabharatanews