(ଓଟାୱା): ଭୟଙ୍କର କୋରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପିଛି । ଏହି ଭାଇରସ ବ୍ୟାପିବା ଫଳରେ ସାଧାରଣ ଲୋକଙ୍କ ସମେତ ବହୁ ବିଶିଷ୍ଟ ନେତାମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ପୂର୍ବରୁ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ନଦୀନ ଡୋରିସ ଏଥିରେ ଆକ୍ରାନ୍ତ ହେବା ପରେ ଏବେ କାନାଡାର ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଏହି ଭାଇରସ ବ୍ୟାପିଛି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋଙ୍କ ପତ୍ନୀ ଶୋଫିଙ୍କ ରକ୍ତ ନମୂନା ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି । ତେବେ ପତ୍ନୀଙ୍କୁ କୋରୋନା ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଏହା ବ୍ୟାପିବା ଆଶଙ୍କା କରି ତାଙ୍କୁ ଆଇସୋଲେସନରେ ରଖାଯିବାକୁ ନିଷ୍ପତି ନିଆଯାଇଛି । ଶୋଫି ନିକଟରେ ଲଣ୍ଡନରୁ ଫେରିଥିଲେ । ଏହାପରେ ତାଙ୍କ ଶରୀରରେ ଫ୍ଲୁ ଲକ୍ଷଣ ଦେଖିବାକୁ ମିଳିଥିଲା । ପରେ ଥଣ୍ଡା ଜ୍ୱରରେ ପୀଡିତ ହେବାରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ତାଙ୍କ ଶରୀରରେ କୋରୋନା ଭୂତାଣୁ ଥିବା ଜଣାପଡିଛି । ଏହାପରେ ଶୋଫିଙ୍କୁ ୧୪ ଦିନ ପାଇଁ ଆଇସୋଲେସନ ୱାର୍ଡରେ ରଖାଯାଇଛି ବୋଲି କାନାଡା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, କାନାଡାରେ ଏଯାଏ ୧୪୫ ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି ।
next post