ଭୁବନେଶ୍ୱର: ପରୀ ହତ୍ୟା ଘଟଣାକୁ ନେଇ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ଅଭିଯୋଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିରୋଧୀ ଅଡି ବସିବାକୁ ନେଇ ଅଡୁଆରେ ସରକାର । ଇସ୍ତଫାକୁ ନେଇ ବିରୋଧୀଙ୍କ ହୋହଲ୍ଲା ଗୃହକୁ ଚଳାଇ ଦେଇ ନ ଥିବା ବେଳେ ଶେଷରେ ମାତ୍ର ୧୦ ଦିନରେ ଶୀତ ଅଧିବେଶନକୁ ବନ୍ଦ କରି ଦିଆଯାଇଛି । ଏବେ ଗୃହ ବାହାରେ, ରାଜରାସ୍ତାରେ ବିରୋଧୀ ବିଜେପି ଶୋଭାଯାତ୍ରା, ରାଲି ମାଧ୍ୟମରେ ଅରୁଣ ହଟାଓ ଅଭିଯାନ ଜାରି ରଖିଛି । ଫଳରେ ଶୀତ ଅଧିବେଶନ ବନ୍ଦ ହୋଇ ଯାଇଥିଲେ ମଧ୍ୟ ମନ୍ତ୍ରୀ ଅରୁଣଙ୍କ ଅଡୁଆ ଯେମିତି ଥମିବାର ନାମ ନେଉ ନାହିଁ ।
ତେବେ ଏହି ଘଟଣାକୁ ନେଇ କିଛି ଗଣମାଧ୍ୟମ ପରୀ ଓ ତାର ବାପା ମାଙ୍କ ସପକ୍ଷରେ ଖବର ପ୍ରସାରଣ କରୁଥିବା ବେଳେ କିଛି ମନ୍ତ୍ରୀଙ୍କ ସପକ୍ଷରେ । ମନ୍ତ୍ରୀଙ୍କ ସପକ୍ଷବାଦୀ ଗଣମାଧ୍ୟମ ଅନୁଯାୟୀ, ମିଛଟାରେ ପରୀ ଘଟଣାରେ ଅରୁଣଙ୍କୁ ଫସାଇ ଦିଆଯାଇଛି । ଅରୁଣଙ୍କ ବିରୋଧରେ ରିତିମତ ଚାଲିଛି ଷଡଯନ୍ତ୍ର । ତାଙ୍କ ଭାବମୂର୍ତ୍ତି କ୍ଷୁନ୍ନ କରିବାକୁ ତଥା ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ମିଛ ମାମଲାରେ ତାଙ୍କୁ ଛନ୍ଦି ଦିଆଯାଉଛି । ତେବେ ଅରୁଣଙ୍କ ବିରୋଧରେ ହେଉଥିବା ଏହି ଷଡଯନ୍ତ୍ର ପଛରେ ପ୍ରାରମ୍ଭିକ ଅବସ୍ଥାରେ କଂଗ୍ରେସର ଜଣେ ନେତା ସମ୍ପୃକ୍ତ ଥିବା ମନ୍ତ୍ରୀଙ୍କ ସପକ୍ଷବାଦୀ ଗଣମାଧ୍ୟମରେ ଖବର ଦେଖିବାକୁ ମିଳିଥିଲା । କଂଗ୍ରେସର ସେହି ନେତାଙ୍କ ପ୍ରରୋଚନାରେ ପରୀର ବାପା ଓ ମା ମିଛ ଆତ୍ମାହୁତି ଡ୍ରାମା କରିଥିଲେ । କଂଗ୍ରେସ ନେତାଙ୍କ ସମ୍ପୃକ୍ତିକୁ ନେଇ ଏକ ଫଟୋକୁ ମଧ୍ୟ ପ୍ରମାଣ ଭାବେ ଉପସ୍ଥାପନ କରାଯାଇଥିଲା ।
କିନ୍ତୁ ରାଜନୀତିରେ ଆଗ୍ରହ ରଖିଥିବା ବୁଦ୍ଧିଜୀବୀଙ୍କ ଅନୁଯାୟୀ ଅରୁଣଙ୍କ ବିରୋଧରେ ତାଙ୍କ ଦଳରେ ହିଁ ଷଡଯନ୍ତ୍ର ରଚା ଯାଇଛି । ଅରୁଣଙ୍କୁ ଗାଦିଚ୍ୟୁତ କରିବାକୁ ଦଳର ଜଣେ ବରିଷ୍ଠ, ଆଗ ଧାଡିର ବିଧାୟକ ରଚିଛନ୍ତି ଷଡଯନ୍ତ୍ର । କୁହାଯାଉଛି, ଦଳର ହର୍ତ୍ତାକର୍ତ୍ତା ଦଇବ ବିଧାତା ବୋଲାଉଥିବା ଏହି ବିଧାୟକ କୁଆଡେ ଏବେ ଅରୁଣଙ୍କ ପଛରେ ହାତ ଧୋଇ ପଡିଯାଇଛନ୍ତି । ବିଭିନ୍ନ ଗଣମାଧ୍ୟମକୁ ଫୋନ କରି ପରୀ ଘଟଣାରେ ଅରୁଣଙ୍କ ବିରୋଧରେ ବାଡେଇକି ଖବର ପ୍ରସାରଣ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ।
ଆହୁରି ମଧ୍ୟ ଶୁଣିବାକୁ ମିଳୁଛି କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଧାୟକ ନିଜ ପଟିଆ କରି ନେଇଛନ୍ତି । ଦୁଇଟି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧିଙ୍କୁ ବିଧାୟକ ମାସିକିଆ ଖର୍ଚ୍ଚ ମଧ୍ୟ ଦେଉଛନ୍ତି । ଫଳରେ ସେହି ଗଣମାଧ୍ୟମ ଆରୁଣଙ୍କ ବିରୋଧରେ ଚଳାଇଛନ୍ତି ଖବର ପ୍ରସାରଣ ଅଭିଯାନ । ଏହା ବ୍ୟତୀତ ପ୍ରତିଦିନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ କରି ମଧ୍ୟ ଖବର ପ୍ରସାରଣ ଜାରି ରଖିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଏତଦଭିନ୍ନ ନୟାଗଡର କିଛି ବିଜେଡି କର୍ମକର୍ତ୍ତା ତଥା ସ୍ଥାନୀୟ ଲୋକଙ୍କୁ ଅରୁଣଙ୍କ ବିରୋଧରେ ଉସକଉଛନ୍ତି । ଏହି କାମ ପାଇଁ କୁଆଡେ ବିଧାୟକ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି । ଫଳରେ ବିଧାୟକଙ୍କଠାରୁ ସେହି ଦଲାଲ ସାମ୍ବାଦିକ ମୋଟା ଅଙ୍କ ପାଇ ପକେଟ ଗରମ କରିବା ସହ ଅରୁଣଙ୍କ ବିରୋଧରେ ମିଛ ଖବର ପ୍ରସାରଣ କରି ଲୋକଙ୍କୁ ଭ୍ରମିତ କରୁଛନ୍ତି ।
ତେବେ ପ୍ରଶ୍ନ ଉଠୁଛି ସେହି ଆଗଧାଡିର ବିଧାୟକ ଜଣକ କିଏ? କିଏ ଦଳରେ ରହି ଦଳୀୟ ନେତା ତଥା ମନ୍ତ୍ରୀଙ୍କ ପାଇଁ ଖାଲ ଖୋଳୁଛନ୍ତ? କିଏ ସେହି ହର୍ତ୍ତାକର୍ତ୍ତା ଦଇବ ବିଧାତା ଯିଏ, ଦଳୀୟ କାର୍ଯ୍ୟଧାରାରେ ବାଧକ ସାଜି ମନ୍ତ୍ରୀ ତଥା ଦଳୀୟ କର୍ମକର୍ତ୍ତାଙ୍କ ଭାବମୂର୍ତ୍ତି ନଷ୍ଟ କରୁଛନ୍ତି? ଗତକାଲି ଗୋପାଳ ପୁର ବିଧାୟକଙ୍କୁ ଜନବିରୋଧୀ କାର୍ଯ୍ୟରେ ବହିସ୍କାର କରାଯାଇଥିବା ବେଳେ ଯଦି ଅରୁଣଙ୍କ ପଛରେ ଷଡଯନ୍ତ୍ର ରଚାଯାଉଥିବ ତେବେ ଏହି ଷଡଯନ୍ତ୍ରକାରୀ ବିଧାୟକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଣ୍ଡିତ କରିବାର ଆବଶ୍ୟକତା ଥିବା ଜରୁରୀ ହୋଇପଡିଛି ।
SR