ମଧୂସୁଦନ ବହିଦାର/ବଲାଙ୍ଗୀର: ଆଜି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲକଡାଉନ ମଧ୍ୟରେ କୋଭିଡ-୧୯ ନିୟମାବଳୀ ଆଧାରରେ ମ୍ୟାଟ୍ରିକ ଖାତା ମୂଲ୍ୟାୟନ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟରେ ମୋଟ ୬୦ ଗୋଟି ମୂଲ୍ୟାୟନ କେନ୍ଦ୍ର ରହିଛି । ବଲାଙ୍ଗୀର ଜିଲ୍ଲାରେ ସରକାରୀ ବାଳିକା ବିଦ୍ୟାଳୟରେ ଗୋଟିଏ କେନ୍ଦ୍ର ହୋଇଛି ମୂଲ୍ୟାୟନ ପାଇଁ । ତେଣୁ ଏଠାରେ ଆଜିଠାରୁ ପୁଣି ଖାତା ଦେଖା ଆରମ୍ଭ ହୋଇଛି । ସମସ୍ତ ସରକାରୀ ନିୟମ ଅନୁଯାୟୀ କେନ୍ଦ୍ରରେ ଖାତା ଦେଖା ହେଉଛି ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି ।
ମୂଲ୍ୟାୟନ କେନ୍ଦ୍ରକୁ ଗତ କାଲି ଠାରୁ ସମ୍ପୂର୍ଣ୍ଣ ଭାବରେ ବିଶୋଧନ କରାଯାଇଛି । ଆଜି ମଧ୍ୟ ସରକାର ପ୍ରସ୍ତୁତ କରିଥିବା ସମସ୍ତ ସଚେତନତା ଅବଲମ୍ବନ କରିବା ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଚାଲିଛି । ସେହିପରି କେନ୍ଦ୍ରରେ ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ଉପସ୍ଥିତିରେ ପ୍ରଥମେ ସ୍କ୍ରିନିଂ କରାଯାଇ ସାନିଟାଇଜରରେ ହାତ ଧୋଇବା ତଥା ସାମାଜିକ ଦୂରତା ଅବଲମ୍ବନ କରିବା ଭଳି ପଦକ୍ଷେପ ଗ୍ରହଣ କରାଯାଇ ସକାଳ ୧୦ ଘଣ୍ଟା ସମୟରୁ ଦିନ ୩ ଘଣ୍ଟା ସମୟ ପର୍ୟ୍ୟନ୍ତ ମୂଲ୍ୟାୟନ ପ୍ରକ୍ରିୟା ଚାଲିଥିଲା ।
