(ରୋମ): ଚୀନରୁ ସୃଷ୍ଟି ହୋଇଥିବା ଏହି କୋରୋନା ଭାଇରସ ଏବେ ବିଶ୍ୱରେ ଆତଙ୍କ ଖେଳାଇଛି । ସମ୍ପ୍ରତି ଏହା ବିଶ୍ୱର ୯୪ଟି ଦେଶକୁ ବ୍ୟାପିଥିବା ବେଳେ ନିଜକୁ ମହାଶକ୍ତିଶାଳୀ ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବର୍ତ୍ତି ପାରିନାହିଁ । ଚୀନ ପରି ବର୍ତ୍ତମାନ ଇଟାଲୀରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କିଛି ଦିନ ତଳେ ଏହି ଭୁତାଣୁରେ ଆକ୍ରାନ୍ତ ହୋଇ ୪୯ ଜଣ ପ୍ରାଣ ହରାଇଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା ୨୦୦ ଟପିଯାଇଛି । ଏଯାଏ କୋରୋନା ଇଟାଲୀରେ ୨୩୩ ଜଣଙ୍କର ମୁଣ୍ଡ ନେଇ ସାରିଛି । ସେହିଭଳି ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ଏବେ ୫ ହଜାର ୮୮୩ ଜଣ ଇଟାଲୀରେ ଆକ୍ରାନ୍ତ ହୋଇଛନ୍ତି । ଇଟାଲୀ ସରକାର ଏବେ ବିିଦେଶୀ ନାଗରିକଙ୍କ ଗତିବିଧି ଉପରେ ନଜର ରଖିଛି । ଏପ୍ରିଲ ୩ ସୁ୍ଦ୍ଧା ବିଦେଶୀ ନାଗରିକଙ୍କ ଗତିବିଧୀ ଉପରେ କଡା ପ୍ରତିବନ୍ଧକ ଲଗାଯିବ ବୋଲି ମଧ୍ୟ ସୂଚନା ମିଳିଛି । ଇଟାଲୀର ମିିଲାନ ଠାରେ କୋରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି ବୋଲି ଜଣାପଡିଛି । ଇଟାଲୀ ଗସ୍ତରେ ଆସୁଥିବା ଅଧିକାଂଶ ବ୍ୟବସାୟିକ ବ୍ୟକ୍ତି ଏଠାକୁ ଆସିଥାନ୍ତି । ସମ୍ଭବତଃ ସେମାନଙ୍କ ଠାରୁ ଏହି ଭାଇରସ ବ୍ୟାପଥିବା ଅନୁମାନ କରାଯାଉଛି ।
ତେବେ ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି ଭାଇରସରେ ୩୫୯୮ ଜଣ ସାରା ବିଶ୍ୱରେ ଏଯାଏ ପ୍ରାଣ ହରାଇଛନ୍ତି । ଇଟାଲୀ ପରି ଇରାନରେ ମୃତ୍ୟୁ ସଂଖ୍ୟା ୧୪୫ରେ ପହଞ୍ଚିଛି । ଆମେରିକାରେ ୧୯ ଜଣ, ଫ୍ରାନ୍ସରେ ୧୬, ସ୍ପେନରେ ୧୦, ଇରାକ୍ରେ ୪, ଅଷ୍ଟ୍ରଲିଆରେ ୩ ଜଣ, ନେଦରଲାଣ୍ଡ, ଥାଇଲାଣ୍ଡ, ଆର୍ଜେଣ୍ଟିନା ଆଦି ଦେଶରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଚୀନରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଫଳରେ କେବଳ ଚୀନରେ ଏବେ ସର୍ବମୋଟ୍ କୋରୋନାରେ ମୃତକଙ୍କ ସଂଖ୍ୟା ୩ ହଜାର ୯୭ରେ ପହଞ୍ଚିଛି । ସେହିପରି ୧୬୬୦ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ କମିଶନର ରିପୋର୍ଟ ଅନୁସାରେ ଏବେ ସମୁଦାୟ ୫୭ ହଜାର ୬୫ ଜଣ ଚୀନରେ ଏହି ଭୟଙ୍କର ଭୁତାଣୁ କବଳରୁ ରକ୍ଷା ପାଇଛନ୍ତି । ତଥାପି ଆହୁରି ୮୦ ହଜାର ୬୯୫ ଜଣ ଚୀନରେ ଏବେ ବି ସଂକ୍ରମିତ ଅଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୨୦ ହଜାର ୫୦୦ ଜଣ ସଂକ୍ରମିତ ଏବେ ଦେଶର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ, ବିଶ୍ୱରେ ଏହି ଭୟଙ୍କର ମହାମାରୀ ୯୦ରୁ ଉଦ୍ଧ୍ୱର୍ ଦେଶକୁ ବ୍ୟାପିଛି । ଏଥିରେ ୧ ଲକ୍ଷ ୧ ହଜାର ୯୨୭ ଜଣ ଏଯାଏ ସଂକ୍ରମିତ ହୋଇଛନ୍ତି । ଚୀନ ବାହାରେ ଅନ୍ୟ ଦେଶଗୁଡିକରେ ୪୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଏଥିରେ କୁହାଯାଇଛି ।