(ମହାଭାରତ,ଜଳେଶ୍ୱର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖୁଲୁଡା ପଞ୍ଚାୟତରେ ଭୟଙ୍କର କୋରୋନା ଭାଇରସ ପାଇଁ ସଚେତନତା କାର୍ଯ୍ୟକ୍ରମ ସହ ରାଲି ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ୱ ଏହି ଭୂତାଣୁ ପାଇଁ ଆତଙ୍କିତ ଥିବା ବେଳେ ଏହାଠାରୁ ଦୂରେଇ ରହିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା । ମାରାତ୍ମକ ଭୂତାଣୁ ଠାରୁ ଦୁରେଇ ରହିବା ପାଇଁ ସର୍ବଦା ମାସ୍କ ବ୍ୟବହାର କରିବା ସହ ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବାକୁ ଲୋକଙ୍କୁ ଉପଦେଶ ଦିଆଯାଇଥିଲା । ଦୀର୍ଘ ଦିନ ଧରି କାଶ, ଥଣ୍ଡା, ଜ୍ୱର ଆଦିରେ ଆକ୍ରାନ୍ତ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ପାଇଁ କାର୍ଯ୍ୟକ୍ରମରେ ଲୋକଙ୍କୁ ସଚେତନ କରାଯାଇଥିଲା । ବିଜୁ ଯୁବ ବାହିନୀ କୋଅଡିନେଟର କାଳିଚରଣ ଦାସଙ୍କ ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋରୋନା ଭୁତାଣୁ ଭଳି ପ୍ରତିଦିିନ ଘଟୁଥିବା ଦୂର୍ଘଟଣା ଠାରୁ ଦୁରେଇ ରହିବା ପାଇଁ ହେଲମେଟ ପିନ୍ଧି ଟ୍ରାଫିକ ନିୟମ ମାନିବାକୁ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପୋଲିସ, ସରପଞ୍ଚ ଓ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ ।
previous post
