ଭୁବନେଶ୍ୱର: କ୍ରୁଟ୍ ତରଫରୁ ମୋବସରେ କ୍ୟାସଲେସ୍ ଟିକେଟ୍ ସୋମବାର ଆରମ୍ବ ହୋଇଛି । ଏହା କୋରୋନା ସମୟର ଏକ ମୁଖ୍ୟ ଭୟ (ନୋଟ୍ ଏବଂ ଖୁଚୁରା)ର ଆଦାନପ୍ରଦାନ ଜନିତ ସଂପ୍ରସାରଣକୁ କମ୍ କରିବା ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ । ଯାତ୍ରୀ ଏବଂ ଗାଇଡ୍ମାନେ ଏଥିଯୋଗୁଁ ନିଜକୁ ସୁରକ୍ଷିତ ରଖିପାରିବେ ।
କ୍ରୁଟ୍ ପ୍ରବନ୍ଧକ ଶ୍ରୀମତି ଦିପ୍ତି ମହାପାତ୍ର ଏହି ପରିପ୍ରେକ୍ଷୀରେ ଜଣାଇଛନ୍ତି ଯେ, ରୁଟ୍ ନଂ ୧୬ ଏବଂ ୨୦ରେ ବର୍ତ୍ତମାନ ଏହି ସୁବିଧା ଉପଲବ୍ଧ । କ୍ରମଶଃ ସମସ୍ତ ରୁଟ୍ରେ ଯାତ୍ରୀମାନେ କ୍ୟୁଆର୍ କୋଡ୍ ମାଧ୍ୟମରେ ନିଜର ଟିକେଟ୍ କରିପାରିବେ । ତେବେ ଆପଣଙ୍କୁ କହିରଖୁଛୁ ଯେ, ମୋବସରେ ମୋବାଇଲ୍ ଆପ୍ ଏବଂ ଅନଲାଇନ ଟିକେଟ୍ ସେବା ଆଗରୁ ଉପଲବ୍ଧ ଅଛି । ଯାତ୍ରୀମାନେ ଡିଜିଟାଲ ୱାଲେଟକୁ ବ୍ୟବହାର କରି ଟିକେଟ୍ କରିପାରିବେ । ବସରେ ଚଢିବା ମାତ୍ରେ ଯାତ୍ରୀମାନେ ଗାଇଡମାନଙ୍କ ପାଖରେ ଥିବା କ୍ୟୁଆର୍ କୋଡ୍କୁ ସ୍କାନ କରିପାରିବେ । ସ୍କାନ କରିବା ମାତ୍ରେ ଟିକେଟ୍ର ମୂଲ୍ୟ ସିଧାସଳଖ କ୍ରୁଟ୍ର ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଉଭୟ ଯାତ୍ରୀ ଏବଂ ଗାଇଡ୍ ଏହି ଦେୟ ସମ୍ବଦ୍ଧୀୟ ମେସେଜ୍ ନିଜ ମୋବାଇଲରେ ପାଇବେ । ସଫଳ ଦେୟକୁ ତନଖି କରିବା ପରେ ଗାଇଡ୍ ଟିକେଟ୍ ପ୍ରିଣ୍ଟ କରି ଯାତ୍ରୀଙ୍କୁ ଦେବେ ।
ଆଗାମୀ ଦିନରେ ଡିଜିଟାଲ୍ ଟିକେଟ୍ ବୁକିଙ୍ଗ ସେବାକୁ ଅଧିକାରୁ ଅଧିକା ସମୃଦ୍ଧ କରାଯିବ । ନୋଟ୍ର ପ୍ରଚଳନକୁ କମ କରିବା ପାଇଁ କ୍ରୁଟ୍ ତରଫରୁ ଚେଷ୍ଟା ଚାଲିଛି । କୋରୋନା ସମୟରେ ଏଭଳି ବ୍ୟବସ୍ଥା ଯାତ୍ରୀ ଏବଂ ମୋବସ କର୍ମଚାରୀମାନଙ୍କୁ ସୁରକ୍ଷିତ ରଖିବ ବୋଲି ଶ୍ରୀମତି ମହାପାତ୍ର ଜଣାଇଥିଲେ ।
previous post