ରଜନୀକାନ୍ତ ପାତ୍ର/ ହିଞ୍ଜିଳି: କୋରୋନା କାଳରେ ଶ୍ରମିକଙ୍କ ନିମନ୍ତେ ସହାୟକ ହେଉଛି ମନରେଗା ଯୋଜନା । ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆମାନେ କୋରୋନା ଯୋଗୁଁ ନିଜର ଭିଟାମାଟିକୁ ଫେରିଥିଲେ। ଦୀର୍ଘ ଦିନ ଘରେ ରହିବା ପରେ ଏବେ ବାହାରକୁ ପାଦ କାଡିଛନ୍ତି ପ୍ରବାସୀ ଓଡିଆମାନେ। ପୁଣି ସେମାନେ ଅନ୍ୟ ରାଜ୍ୟକୁ ନ ଯାଆନ୍ତୁ ତେଣୁ ନିଜ ଅଞ୍ଚଳରେ ସେମାନଙ୍କୁ ରୋଜଗାର ଯୋଗାଇ ଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ମନରେଗା ଯୋଜନାରେ ବିଭିନ୍ନ କାମ କରି ଭଲ ଦୁଇ ପିଇସା ରୋଜଗାର କରୁଛନ୍ତି ପ୍ରବାସୀ ଓଡ଼ିଆମାନେ।
ଲକଡାଉନ ପାଇଁ ଜୀବିକା ହରାଇ ଗଞ୍ଜାମ ଜିଲ୍ଲାକୁ ଫେରିଥିଲେ ୭ ଲକ୍ଷରୁ ଅଧିକ ପ୍ରବାସୀ ଓଡିଆ। ବର୍ତ୍ତମାନ ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପ୍ରବାସୀ ମାନଙ୍କୁ ସାହା ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ପ୍ରତ୍ୟେକ ଗ୍ରାମରେ ରହିଥିବା ଗ୍ରାମ ରୋଜଗାର ସେବକଙ୍କ ଜରିଆରେ ପ୍ରବାସୀମାନଙ୍କର ତାଲିକା କରାଯାଉଛି। ଏହାପରେ ପ୍ରବାସୀ ମାନେ ମନରେଗା ଯୋଜନାରେ ଯେମିତି କାମ କରିପାରିବେ ସେ ନେଇ ତଦାରଖ କରାଯାଉଛି। ଏହାପରେ ସେମାନଙ୍କୁ ଗାଁର ବିଭିନ୍ନ ଉନ୍ନୟନମୂଳକ କାମ ଯୋଗାଇ ଦିଆଯାଉଛି।
ଦୀର୍ଘ ଦିନ ଧରି ଘରେ ବସିବା ପରେ ଏବେ ନିଜର ପରିବାରକୁ ପ୍ରତିପୋଷଣ କରିବା ନିମନ୍ତେ ମନରେଗାରେ କାମ ପାଇ ବେଶ ଖୁସି ଜାହିର କରିଛନ୍ତି ପ୍ରବାସୀ ଓଡିଆ। ସେପଟେ ସ୍ଥାନୀୟ ଜନପ୍ରତିନିଧି ମାନେ ମଧ୍ୟ ପ୍ରବାସୀଙ୍କ ନିମନ୍ତେ କାମ ଯୋଗାଇବା ସହ ସହଯୋଗର ହାତ ମଧ୍ୟ ବିତାଉଛନ୍ତି। ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନ ଭଳି ଛତ୍ରପୁର ଅଞ୍ଚଳରେ ମଧ୍ୟ ମନରେଗା ଯୋଜନାରେ ପ୍ରବାସୀଙ୍କୁ ରୋଜଗାର ଯୋଗାଇଦିଆଯାଇଛି। ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ଅନେକ ଗାଁକୁ ରାସ୍ତା କରିବା କାର୍ୟ୍ୟରେ ଲାଗିପଡିଛନ୍ତି ଶ୍ରମିକ ମାନେ। କେବଳ ରାସ୍ତା ନୁହେଁ ବରଂ ପୋଖରୀ, ଗଛ ଲଗାଇବା କାମ ସହ ଅନ୍ୟାନ୍ୟ କାମ କରୁଛନ୍ତି ପ୍ରବାସୀ ଓଡ଼ିଆମାନେ। ସେପଟେ ଅଧିକରୁ ଅଧିକ ଯେପରି ପ୍ରବାସୀ ଓଡିଆ କାର୍ୟ୍ୟ ପାଇବେ ସେନେଇ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏନେଇ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବା ଦେଖାଯାଇଛି । ମୁଖ୍ୟତଃ ପ୍ରବାସୀ ଶ୍ରମିକ ମାନେ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ ଏକ ସ୍ବତନ୍ତ୍ର ଡ୍ରାଇଭ୍ କରାଯାଇ ପ୍ରତ୍ୟେକ ପରିବାରର ଯେପରି ଅଧିକରୁ ଅଧିକ ବ୍ୟକ୍ତି ବିଶେଷ ମନରେଗା ଯୋଜନାରେ କାର୍ୟ୍ୟ କରିବେ ସେନେଇ ଜବ କାର୍ଡ ପ୍ରଦାନ କରାଯାଇଛି । ଚଳିତବର୍ଷ ଜିଲ୍ଲାରେ ମୋଟ ୨.୧୨ କୋଟି ଶ୍ରମ ଦିବସ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସେଥିରୁ ଅଦ୍ୟାବଧି ୪୨ ପ୍ରତିଶତ ପୂରଣ କରାଯାଇଥିବା କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ,କୋରୋନା ଯୋଗୁଁ ଜୀବିକା ହରାଇଥିବା ପ୍ରବାସୀ ଓଡ଼ିଆମାନେ ମନରେଗା ଯୋଜନାରେ କାମ ପାଇ ରୋଜଗାରକ୍ଷମ ହୋଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି।
previous post
