(ଦୀଲ୍ଲିପ ସାହୁ/ଜଗତସିଂହପୁର): କରୋନା ମୁକାବିଲା ପାଇଁ ସାରାଦେଶରେ ଲକଡାଉନ। ଘରୁ ନବାହାରି ସାମାଜିକ ଦୂରତା ରକ୍ଷା କରିବାକୁ ସରକାର ସଚେତନ କରାଉଛନ୍ତି। ସହରରେ ପୋଲିସ ପ୍ରଶାସନକୁ କସରତ କରିବାକୁ ପଡୁଥିବା ବେଳେ ଗ୍ରାମାଞ୍ଚଳରେ ଲୋକେ ବେଶ୍ ସଚେତନ ଥିବା ଦେଖାଯାଉଛି। ମାସେ ବ୍ୟାପି ଲକଡାଉନ ଚାଲିଥିବା ବେଳେ ଗ୍ରାମାଞ୍ଚଳରେ କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ଗରିବ ଦିନ ମଜୁରିଆ ଶ୍ରେଣୀର ଲୋକ ବିଶେଷ ପ୍ରଭାବିତ ହୋଇଛନ୍ତି।
ଜଗତସିଂହପୁର ଜିଲ୍ଲାର ନିପଟ ମଫସଲ ସମୁଦ୍ରକୂଳିଆ ପଦ୍ମପୁର ପଞ୍ଚାୟତରେ ଲୋକେ କରୋନା ମୁକାବିଲା କରିବା ପାଇଁ ପଣ କରିଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ତିନିଥର ସରପଞ୍ଚ ହୋଇଥିବା ଯୁବ ସମାଜସେବୀ କେଶବ ଚନ୍ଦ୍ର ପାତ୍ର ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। ସରପଞ୍ଚ ଶ୍ରୀ ପାତ୍ର କରୋନା ମୁକାବିଲା ପାଇଁ ଲକଡାଉନ ଘୋଷଣା ହେବା ଦିନ ଠାରୁ ନିଜ ପଦ୍ମପୁର ପଞ୍ଚାୟତର ୨୨ଟି ଗାଁରେ ବୁଲିବୁଲି ଲୋକଙ୍କୁ ସଚେତନ କରିବା ସହ ସରକାରଙ୍କ ଯୋଜନା ତଥା ରେସନକାର୍ଡ ଚାଉଳ ସହାୟତା ରାଶି ବଣ୍ଟନର ତଦାରଖ କରୁଛନ୍ତି। ପଞ୍ଚାୟତରେ୪୨୦ଜଣ ନିର୍ମାଣ ଶ୍ରମିକଙ୍କୁ ପ୍ରତେକ୍ଷ ତତ୍ୱବଧାନରେ ଦେଢହଜାର ଟଙ୍କା ବାଣ୍ଟିବା ସହ ପଞ୍ଚାୟତରେ କେହି ଅନାହାରରେ ରହିବେ ନାହିଁ ବୋଲି ଘରଘର ବୁଲିଛନ୍ତି। ରାଜ୍ୟ ବାହାରେ ବିଭିନ୍ନ ରାଜ୍ୟରେ ଦାଦନ ଖଟିବାକୁ ଯାଇ ଫସିରହିଥିବା ନିଜ ପଞ୍ଚାୟତର ଦୁଇଶହରୁ ଉର୍ଦ୍ଧ ଲୋକଙ୍କୁ ପାଞ୍ଚଶହ ଟଙ୍କା ଲେଖାଏଁ ପଠାଇ ପରିସ୍ଥିତି ନବଦଳିବା ପର୍ୟ୍ୟନ୍ତ ଗାଁକୁ ନଫେରି ପଞ୍ଚାୟତବାସୀଙ୍କୁ ସୁରକ୍ଷା ଦେବା ପାଇଁ ଅଭିନବ ଉପାୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।