କେନ୍ଦ୍ରାପଡା: ୨୦୧୩ ମସିହାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଂଚଳର ସାର ବ୍ୟବସାୟୀ ସାହା ନବାଜ ଖାଁ ହତ୍ୟାକାଣ୍ଡରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ସେକ୍ କାଦିର ଦୋଷୀ ସାବ୍ୟସ୍ତ। ତାକୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରା ଜଜ୍ । ବ୍ୟବସାୟୀ ସାହା ନବାଜଙ୍କୁ ଦାଦାବଟି ମାଗି ବିଫଳ ହେଲା ପରେ ସେକ୍ କାଦିର ତାଙ୍କୁ ଦୋକାନରେ ଗୁଳିକରି ହତ୍ୟା କରିଥିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛି । କିନ୍ତୁ ମାମଲାରେ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ।
କିଛି ଦିନ ପୂର୍ବରୁ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗଷ୍ଟର ହାଇଦରର ବଡ଼ ପୁଅ ହେଉଛି ସେକ୍ କାଦିର। କାଦିର ନାମରେ ବିଭିନ୍ନ ଥାନାରେ ପ୍ରାୟ ୩୦ରୁ ଅଧିକ ମାମଲା ରହିଛି। ଧମକ ଚମକ, ଦାଦାବଟି ଆଦାୟ, ହତ୍ୟା ଧମକ, ଟେଣ୍ଡର ଫିକ୍ସିଂ, ବୋମାମାଡ଼, ଲୁଟ୍, ହତ୍ୟା ଭଳି ମାମଲାରେ କାଦିରର ସମ୍ପୃକ୍ତି ରହିଛି । ନିକଟରେ ହାଇଦରର ମୃତ୍ୟୁ ପରେ ନିଜ ବାପାର ଅନ୍ତ୍ୟଷ୍ଟି କ୍ରିୟାରେ ଯୋଗଦେବା ପାଇଁ କାଦିର ଜାମିନ ପାଇବା ପାଇଁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
