ଅପରାଧ

ଚେନ୍ନାଇରେ ପ୍ରେମିକାକୁ ହତ୍ୟା କରି ପ୍ରେମିକ ଫେରାର

ନିଶ୍ଚିନ୍ତକୋଇଲି: ଦୀର୍ଘ ବର୍ଷର ପ୍ରେମ ସମ୍ପର୍କ ପ୍ରତାରଣାରେ ପରିଣତ ହେବା ପରେ କିପରି ବିଭତ୍ସ୍ୟ ପରିଣତି ଘଟେ ଏହାର ଏକ ନଗ୍ନ ନମୁନା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଦେଖିବାକୁ ମିଳିଛି । ସୁଦୂର ଚେନ୍ନାଇରେ ଯୋଜନାବଦ୍ଧ ଭାବେ ପ୍ରେମିକ ତାର ପ୍ରେମିକାକୁ ବିଭତ୍ସ୍ୟ ଭାବେ ହତ୍ୟା କରି ଫେରାର ହୋଇଯିବା ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ବେଳେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିବା ନିମନ୍ତେ ଚେନ୍ନାଇ ପୋଲିସ ଦୁଇ ଦିନ ହେଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଜାଲ ବିଛାଇ ଥିବାର ଜଣାଯାଇଛି ।

ସୂଚନା ଅନୁଯାୟୀ, ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ଗ୍ରାମର ଦିଲ୍ଲିପ କୁମାର ଗାହାଣଙ୍କ ଝିଅ କରିନା ପ୍ରିୟଦର୍ଶିନୀ ୨୧ବର୍ଷ ତାମିଲନାଡ଼ୁର ଚେନ୍ନାଇ ଠାରେ ଅଟୋ ମୋବାଇଲ ଇଂଜିନିୟର ରୂପେ କାମ କରନ୍ତି । କରିନା ସେଠାରେ ଅନ୍ୟ ଜଣେ ଯୁବତୀଙ୍କ ସହ ଏକ ଭଡ଼ା ଘରେ ରହି ଆସୁଥିଲେ । ସ୍କୁଲରେ ପଢିବା ବେଳଠାରୁ କରିନା ଗୋପପୁର ଗ୍ରାମର ଶିବପ୍ରସାଦ ସାହୁଙ୍କ ପୁତ୍ର ମାନସ ସାହୁଙ୍କୁ ଭଲ ପାଇଆସୁଥିଲେ । କିନ୍ତୁ ଚେନ୍ନାଇରେ ଚାକିରି କରିବା ପରେ ସେମାନଙ୍କ ସମ୍ପର୍କରେ ରହସ୍ୟଜନକ ଭାବେ ଫାଟ ସୃଷ୍ଟି ହୋଇଥିଲା । ଏପରିକି ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ତାଙ୍କର ଦୀର୍ଘ ଦିନର ପ୍ରେମ ସମ୍ପର୍କରେ ଭଟ୍ଟା ପଡ଼ିଯାଇଥିଲା । ଫଳରେ ପ୍ରେମିକ ମାନସ ପ୍ରତିଶୋଧ ପରାୟଣ ହୋଇଉଠିଥିଲା । ପ୍ରତିଶୋଧ ନେବା ନିମନ୍ତେ ମାନସ ସୁଚିନ୍ତିତ ଭାବେ ଚେନ୍ନାଇରେ ରହୁଥିବା ନିଶ୍ଚିନ୍ତକୋଇଲି ଅଞ୍ଚଳର କେତେକ ଯୁବକଙ୍କ ପାଖରେ ରହିଥିଲା । ସୁଯୋଗ ଉଣ୍ଡି ମାନସ ଗତ ୨୧ତାରିଖ ଦିନ ସାଙ୍ଗମାନଙ୍କ ଠାରୁ ଏକ ସାଇକେଲ ଆଣି କରିନାଙ୍କ ବାସଭବନରେ ପହଞ୍ଚିଥିଲା । କରିନାଙ୍କୁ ଯୋଜନାବଦ୍ଧ ଭାବେ ମାନସ ହତ୍ୟା କରି ମୃତ ଦେହକୁ କପଡ଼ାରେ ଘୋଡ଼ାଇ ବାଥରୁମ୍ ନିକଟରେ ପକାଇ ଦେଇ ଚମ୍ପଟ ମାରିଥିଲା । ତେବେ କରିନାଙ୍କ ସହ ରହୁଥିବା ସହଯୋଗୀ ଯୁବତୀ ଜଣକ କାର୍ଯ୍ୟରୁ ଫେରିବା ବେଳେ କରିନା ମରି ପଡ଼ିଥିବାର ଦେଖିବାକୁ ପାଇଥିଲେ । ସମ୍ପୃକ୍ତା ଯୁବତୀ ଜଣକ ତତକ୍ଷଣାତ୍ ଚେନ୍ନାଇ ପୋଲିସକୁ ଖବର ଦେଇଥିଲେ । ଚେନ୍ନାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କରିନାର ପରିବାରକୁ ଖବର ଦେଇଥିଲେ । ତେବେ କରିନାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବାର ତାଙ୍କର ପିତା ଦିଲ୍ଲୀପ ଥାନାରେ ଅଭିଯୋଗ କରିବା ପରେ ପୋଲିସ କରିନାର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । କରିନାର ଶବକୁ ପୈତୃକ ଗ୍ରାମକୁ ଅଣାଯାଇ ଶୋକାକୂଳ ପରିବେଶରେ ଦାହ କରାଯାଇଥିଲା । ଅପରପକ୍ଷରେ ସିସି ଟିଭି ଫୋଟେଜରେ ମାନସର ଫଟୋ ରହିଥିବାର ଚେନ୍ନାଇ ପୋଲିସ କରିନାଙ୍କ ପରିବାରକୁ ସୂଚନା ପ୍ରଦାନ କରିଥିବାର ଜଣାଯାଇଛି । ପୋଲିସ ମାନସକୁ ଧରିବାକୁ ନିଶ୍ଚିତ କୋଇଲରେ ପହଞ୍ôଚଛି ।

Related posts

ବାଂଶଡା ପୋଲିସକୁ ସଫଳତା, ହତ୍ୟାକାରୀର କଲା ସିନ ରିକ୍ରିଏସନ

mahabharatanews

୨ କେଜି ୪୦୨ ଗ୍ରାମର ବ୍ରାଉନ ସୁଗାର ଜବତ

mahabharatanews

୧୮ କେଜି ୪୬୦ ଗ୍ରାମ ଗଞ୍ଜେଇ ଜବତ, ୬ କୋର୍ଟ ଚାଲାଣ

mahabharatanews