ଚଣ୍ଡିଗଡ: ସମ୍ପ୍ରତି ବିଶ୍ୱରେ ଗୋଟିଏ ମାତ୍ର ବିଷୟ, ତାହା ହେଉଛି କରୋନା ସଂକ୍ରମଣ, ଏହାକୁ ନେଇ ଚିକିତ୍ସା, ମୃତ୍ୟୁ । କିଏ ସଂକ୍ରମିତ, ତାର ସଂସ୍ପର୍ଶରେ କିଏ କେତେବେଳେ ସଂକ୍ରମିତ ହେବ ତାହା କହି ହେବ ନାହିଁ । ତେଣୁ ବିଶ୍ୱ ବ୍ୟାପୀ ଏହାକୁ ନେଇ ସଚେତନତା ଅବଲମ୍ବନ କରାଯାଉଛି । ଏହା ସତ୍ତେ୍ୱ ମଧ୍ୟ ସଂକ୍ରମଣ ବ୍ୟାପୁଛି, ଯେମିତି ପଞ୍ଜାବର ଲୁଧିଆନାରେ ଦେଖିବାକୁ ମଳିଛି । ପଞ୍ଜାବର ଲୁଧିଆନାରେ ଜଣେ ଚୋର ପାଇଁ ୭ଜଣ ପୁଲିସ କର୍ମଚାରୀ ଏବଂ ଜଣେ ବିଚାରପତିଙ୍କୁ ସଙ୍ଗରୋଧରେ ରହିବାକୁ ପଡିଛି ।
ଲୁଧିଆନା ପୁଲିସ ଦୁଇ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର କରାଯିବ ପରେ ଦୁଇ ଜଣ କାଶିବା ଆରମ୍ଭ କରିଦେଇଥିଲେ । ଏହାକୁ ନେଇ ବିଚାରପତି ମୋନିକା ସିଂ ସନ୍ଦେହ କରିବା ସହ ଉଭୟଙ୍କ କରୋନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଜଣେ ଚୋର ଖସି ପଳାଇଥିଲା । ତେବେ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା କରାଯିବ ପରେ ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ପୁଲିସ ଦଳକୁ ଘରେ ସଙ୍ଗରୋଧରେ ରହିବା ପାଇଁ କୁହାଯିବା ସହ ବିଚାରପତି ମୋନିକା ସିଂ ମଧ୍ୟ ଘରେ ସଙ୍ଗରୋଧରେ ରହିବାକୁ ବାଧ୍ୟ ହୋଇଛନ୍ତି।
