(ମହାଭାରତ, ନିଶ୍ଚିନ୍ତକୋଇଲି): ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟରେ ସଭିଏ ପଢିବେ, ସଭିଏଁ ବଢିବେ ନାରା ଦେଇ ଆସୁଛନ୍ତି । ଗଣଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । କିନ୍ତୁ ରାଜ୍ୟରେ ଏମିତି ଅନେକ ସ୍କୁଲ ଅଛି ଯେଉଁଠାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି । ତେଣୁ ଜଣେ ଲେଖା ଶିକ୍ଷକ ଏକାଧିକ ଶ୍ରେଣୀକୁ ପଢାଇବାକୁ ବାଧ୍ୟ ହେଉଛନ୍ତି । ଏଥିରୁ ସହଜରେ ଅନୁମାନ କରାଯାଇ ପାରିବ କିପରି ଭାବରେ ସେଠାରେ ଶିକ୍ଷା ଦାନ ହେଉଥିବ । ସେମିତି ଦୁଇଟି ସ୍କୁଲ ରହିଛି ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ବୁହାଳୋ ଗ୍ରାମ ପଞ୍ଚାୟତର ୨ଟି ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀକୁ ମାତ୍ର ଜଣେ ଲେଖାଏ ଶିକ୍ଷକ/ଶିକ୍ଷୟିତ୍ରୀ ରହିଥିବା ହେତୁ ସମଗ୍ର ଶିକ୍ଷା ଯୋଜନା ଦିଗହରା ହୋଇପଡ଼ିଥିବା ଅଭିଯୋଗ ହେଉଛି ।
ସୂଚନା ଅନୁଯାୟୀ, ବୁହାଳୋ ଗ୍ରାମ ପଞ୍ଚାୟତରେ ରହିଛି ସୁନାଇଲୋ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ୫ଟି ଶ୍ରେଣୀରେ ମୋଟ ୪୯ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି । ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁ ଗତ ସେପ୍ଟେମ୍ବର ମାସରୁ କାର୍ଯ୍ୟରୁ ଅବସର ଗ୍ରହଣ କଲେଣି । ତାଙ୍କ ବଦଳରେ ଏପର୍ଯ୍ୟନ୍ତ କୌଣସି ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗାଇ ଦିଆଯାଇନାହିଁ । ବିଦ୍ୟାଳୟର ଏକମାତ୍ର ଶିକ୍ଷୟିତ୍ରୀ ରତ୍ନବାଳା ଷଢଙ୍ଗୀ ୫ଟି ଶ୍ରେଣୀର ୪୯ଜଣ ଛାତ୍ର ଛାତ୍ରୀଙ୍କୁ ଅତ୍ୟନ୍ତ ଦୟନୀୟ ଭାବେ ଗୋଟିଏ କୋଠରୀରେ ଶିକ୍ଷାଦାନ ପ୍ରଦାନ କରୁଛନ୍ତି । ସେହିପରି ଭାବେ ବରପଡ଼ା ପ୍ରାଥମିକ ବିଦ୍ୟାଳୟର ୫ଟି ଶ୍ରେଣୀରେ ୩୩ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି । ଏହି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରତିମା ପଣ୍ଡା ପ୍ରାୟ ଏକମାସ ହେଲା କାର୍ଯ୍ୟରୁ ଅବସର ଗ୍ରହଣ କଲେଣି । ବିଦ୍ୟାଳୟର ଶିକ୍ଷକ ସୁରେନ୍ଦ୍ର ନାଥ ସେଠୀ ୫ଟି ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଗୋଟିଏ କୋଠରୀରେ ଶିକ୍ଷାଦାନ କରୁଛନ୍ତି । ତେବେ କୌଣସି ଦିନ ଅନିବାର୍ଯ୍ୟ କାରଣ ହେତୁ ସମ୍ପୃକ୍ତ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ନ ଆସିଲେ ବିଦ୍ୟାଳୟ ଗୃହରେ ତାଲା ପଡ଼ୁଛି । ଫଳରେ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟକୁ ଆସି ଶିକ୍ଷାଦାନ ପାଇନପାରି ନିରାଶରେ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି । ଏହି ବିଦ୍ୟାଳୟ ଦ୍ୱୟରେ ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ/ଶିକ୍ଷୟିତ୍ରୀ କେତେଦୂର ଶିକ୍ଷାଦାନ କରୁଥିବେ ଓ ଗୁଣାତ୍ମକ ଶିକ୍ଷା କେତେଦୂର ସଫଳ ହେଉଥିବା ତାହା ସହଜେ ଅନୁମେୟ । ଅପରପକ୍ଷରେ ଏହି ବ୍ଲକର ବହୁ ବିଦ୍ୟାଳୟରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଶିକ୍ଷକ ରହିଥିଲା ବେଳେ ଏହି ଦୁଇ ବିଦ୍ୟାଳୟରେ ଶିକ୍ଷକ ମରୁଡି ଦେଖା ଦେଇଛି । ତୁରନ୍ତ ଏହି ବିଦ୍ୟାଳୟ ଦ୍ୱୟକୁ ଅଧିକ ଶିକ୍ଷକ ଯୋଗାଇଦେବା ପାଇଁ ଅଭିଭାବକ ମହଲରେ ଦାବି ହୋଇଛି ।