(କଣିହାଁ/ଜ୍ୟୋତିରଞ୍ଜନ ଧର): ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ଲୋକପ୍ରିୟ ସାଂସଦ ମହେଶ ସାହୁ ଏମ୍ସିଏଲ୍ ର ସାମାଜିକ ଦାୟିତ୍ୱବୋଧ ଜରିଆରେ କାର୍ୟ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ତାଳଚେର ଏମ୍ସିଏଲ୍ ଡ଼େରା ସ୍ଥିତ ଜଗନ୍ନାଥ ସିଜିଏମ୍ ଅଫିସ୍ ଠାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଏସ୍ଆର ଅଧିନସ୍ଥ କାର୍ୟ୍ୟକ୍ରମ ମଧ୍ୟରେ ୧୦ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପରୀକ୍ଷା ଗୃହ ଓ ଅଡିଓଟୋରିୟମ୍ ନିର୍ମାଣ କରାଯିବା, ୭ଟି ଚିକିତ୍ସାଳୟକୁ ଶବବୁହା ଗାଡ଼ି ପ୍ରଦାନ କରାଯିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ସେହିପରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ତାଳଚେର ସହରର ବାଙ୍କଧରା ଠାରୁ ପବିତ୍ର ମୋହନ ଛକ ପର୍ୟ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ୨ ମିଟର ଲେଖାଏଁ ପିଚୁ ରାସ୍ତାକୁ ପ୍ରଶସ୍ତି କରାଯିବା ସହ ଏହି କାର୍ୟ୍ୟ ବହ୍ଲର ଛକ ପର୍ୟ୍ୟନ୍ତ ସମ୍ପ୍ରସାରଣ କରାଯିବାକୁ ସାଂସଦ ପ୍ରସ୍ତାବ ଦେଇଥିଲେ । ତେବେ ବାଙ୍କଧରା ଠାରୁ ପବିତ୍ର ମୋହନ ଛକ ପର୍ୟ୍ୟନ୍ତ ରାସ୍ତା କାର୍ୟ୍ୟ ଆସନ୍ତା ୪/୫ଦିନ ମଧ୍ୟରେ ଆରମ୍ଭ ହେବ ସହ ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବାର ଏମ୍ସିଏଲ୍ ପକ୍ଷରୁ ସୂଚନା ଦିଆଯାଇଥିଲା । ରାଣୀ ପାର୍କ ଅଞ୍ଚଳରେ ପ୍ରସ୍ତାବିତ ଏୟାର ଷ୍ଟ୍ରିପ୍ ନିର୍ମାଣ ସହ ରାଣୀପାର୍କର ଚତୁପାଶ୍ୱର୍ରେ ପାଚେରୀ ନିର୍ମାଣ କରାଯାଇ ଏକ ହରିଣ ପାର୍କ ସ୍ଥାପନ କରାଯିବାକୁ ରହିଥିବା ପ୍ରସ୍ତାବ କାର୍ୟ୍ୟକାରୀ କରାଯିବା ଉପରେ ସାଂସଦ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲେ । ପ୍ରାୟ ଅଢ଼େଇ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଣୀ ପାର୍କର ପାଚେରୀ ନିର୍ମାଣ କାର୍ୟ୍ୟ ଜିଲ୍ଲାପାଳଙ୍କ ଅନୁମୋଦନ ଅପେକ୍ଷାରେ ରହିଥିବା ପ୍ରକାଶ କରିଥିଲେ । ଏତଦ୍ ବ୍ୟତୀତ ଅଞ୍ଚଳବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଭୂତଳ କୋଇଲା ଖଣିରେ ତୁରନ୍ତ ବାଲି ଭର୍ତ୍ତି କାର୍ୟ୍ୟ ଶେଷ କରାଯିବା ସହ ତାଳଚେର ଖୋଲା କୋଇଲା ଖଣିରେ ସୃଷ୍ଟି ମୃର୍ତ୍ତିକା ପାହାଡ଼କୁ ସମତୁଲ କରାଯାଇ ଏହାକୁ ରେସିଡେନ୍ସିଆଲ୍ ଜୋନ୍ କରାଯିବାକୁ ସାଂସଦ ପ୍ରସ୍ତାବ ଦେଇଥିଲେ । ତେବେ ଏହି କାର୍ୟ୍ୟକ୍ରମ ଗୁଡ଼ିକ ଖୁବ୍ ଶୀଘ୍ର ହାତକୁ ନିଆଯାଇ କାର୍ୟ୍ୟକ୍ରମ କରାଯିବାକୁ ସାଂସଦ ଶ୍ରୀ ସାହୁ ଏମ୍ସିଏଲ୍ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସାଂସଦଙ୍କ ଏହି ସମୀକ୍ଷା ବୈଠକରେ ତାଳଚେର ବିଧାୟକଙ୍କ ପ୍ରତିନିଧି ମୁରଲୀଧର ସାହୁ, ବିଜେଡ଼ି ବ୍ଲକ୍ ସଭାପତି ସନ୍ତୋଷ କୁମାର ପ୍ରଧାନ ଓ ଅନ୍ୟ ବରିଷ୍ଠ ଅଧୀକାରୀମାନେ ସାମିଲ ଥିଲେ ।
previous post
