ଭୁବନେଶ୍ୱର: ଭାରତୀୟ ମହିଳା ଓ ପୁରୁଷ ହକି ଟିମ ସେମିଫାଇନାଲରେ ପହଞ୍ଚିବା ପରେ ସାରା ଦେଶରେ ଆନନ୍ଦ ଉଲ୍ଲାସର ମାହୋଲ । ଏହି ସଫଳତା ପାଇଁ ଉଭୟ ଦଳକୁ ଛୁଟିଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଗଣ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଭାରତୀୟ ହକି ଦଳର ଏହି ସଫଳତାର ବାସ୍ତବ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯାଉଛି । କାରଣ ୨୦୧୮ ମସିହାରୁ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ମୁଖ୍ୟମନ୍ତ୍ରୀ ସ୍ପୋନ୍ସର କରିଆସୁଛନ୍ତି ।
ଓଡିଶା ଏକ ଗରିବ ରାଜ୍ୟ ଭାବେ ପରିଚିତ । କିନ୍ତୁ ଏହି ଗରିବ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୃଦୟ କେତେ ବଡ ଏହି ସ୍ପୋନ୍ସରସିପରୁ ଜଣାପଡୁଛି । ଯେତେବେଳେ ସାହାରା କମ୍ପାନୀ ଭାରତୀୟ ହକି ଦଳର ସ୍ପୋନ୍ସରସିପରୁ ଓହରି ଯାଇଥିଲା, ସେତେବେଳେ ଅନ୍ୟ କୌଣସି ସଂସ୍ଥା ସ୍ପୋନ୍ସରସିପ ପାଇଁ ଆଗେଇ ଆସିନଥିଲେ । ଏପରି ଘଡିସନ୍ଧି ମୁହୂର୍ତ୍ତରେ ଆଗେଇ ଆସିଛନ୍ତି ଆମ ମୁଖ୍ୟମନ୍ତ୍ରୀ । ଉଭୟ ଦଳକୁ ସ୍ପୋନ୍ସର କରିବାର ଦୁଃସାହସ କରିଛନ୍ତି ସେ । ୫ ବର୍ଷର ସ୍ପୋନ୍ସରସିପ ପାଇଁ ଓଡିଶାକୁ ଖର୍ଚ୍ଚ କରିବାକୁ ହେଉଛି ୧୫୦ କୋଟି ଟଙ୍କା । ଭାରତ ଇତିହାସରେ କୌଣସି ରାଜ୍ୟ କ୍ରିଡା କ୍ଷେତ୍ରରେ ସ୍ପୋନ୍ସରସିପର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହା ବ୍ୟତୀତ ୨୦୧୮ରେ ଓଡିଶା ବିଶ୍ୱ ହକି ୱାର୍ଲ୍ଡ କପ ଆୟୋଜନ କରି ସଫଳତା ହାସଲ କରିଛିି । ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟରେ ବିଭିନ୍ନ ଯୋଜନା କରାଯିବା ସହ ପ୍ରତି ଜିଲ୍ଲାରେ ଷ୍ଟାଡିୟମ ନିର୍ମାଣ କରାଯାଉଛି । ଏହା ବ୍ୟତୀତ ୨୦୨୩ ହକି ବିଶ୍ୱକପ ଆୟୋଜନ ଓଡିଶାରେ ହେବାକୁ ଯାଉଛି । ଏଥିପାଇଁ ରାଉରକେଲାରେ ବିଶ୍ୱର ସର୍ବ ବୃହତ ଷ୍ଟାଡିୟମ ନିର୍ମାଣ କରାଯାଉଛି । ତେଣୁ ଏହି ସଫଳତାର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯାଉଛି ବୋଲି ବିଜେଡି ସମ୍ପାଦିକା ମୀରା ପରିଡା ତାଙ୍କ ସୋସିଆଲ ମିଡିଆରେ ଜଣାଇଛନ୍ତି ।
previous post