(ଆଗ୍ରା): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଭାରତ ଆସୁଛନ୍ତି । ଏହି ଅବସରରେ ସେ ଆଗ୍ରା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ଏହି ସମୟରେ ଆଗ୍ରାର ମେୟର ନବୀନ ଜୈନ ତାଙ୍କୁ ଆଗ୍ରା ସହରର ଏକ ଚାବି ଉପହାର ଦେବେ ବୋଲି ଜଣାପଡିଛି । ଏହା ଚାନ୍ଦିରେ ତିଆରି କରାଯାଇଛି । ଏହାର ଓଜନ ୬୦୦ ଗ୍ରାମ ରହିଥିବା ଜଣାଯାଇଛି । ତେବେ ଚାବି ଉପହାର ଦେବା ପଛରେ କାରଣ ହେଉଛି ଯେ, କୌଣସି ଅତିଥି ସହରକୁ ଅନଲକ୍ କରିବାକୁ ଏହି ଚାବି ଉପହାର ଦିଆଯାଇଥାଏ । ଏହାପରେ ତାଲା ଖୋଲି ଅତିଥି ସହର ମଧ୍ୟରେ ପ୍ରବେଶ କଲେ ତାଙ୍କୁ ସ୍ୱାଗତ କରାଯାଇଥାଏ । କୌଣସି ଦେଶର ରାଷ୍ଟ୍ରପତି ଭାରତର ଯେକୌଣସି ସହରକୁ ଗସ୍ତ କରିବା ବେଳେ ସହରର ପ୍ରଥମ ନାଗରିକ ଅର୍ଥାତ ମେୟର ତାଙ୍କୁ ଚାବି ଉପହାର ଦେବାର ପରମ୍ପରା ରହିଛି । ତେବେ ଟ୍ରମ୍ପଙ୍କୁ ଆଗ୍ରାରେ ସ୍ୱାଗତ ଜଣାଇବା ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଶହ ଶହ ଲୋକେ ହାତରେ ଭାରତ ଓ ଆମେରିକାର ପତାକା ଧରି ଟ୍ରମ୍ପ ଦମ୍ପତ୍ତିଙ୍କୁ ସ୍ୱାଗତ ଜଣାଇବେ ବୋଲି ଆଗ୍ରା ମେୟର କହିଛନ୍ତି । ସୂଚନାଯୋଗ୍ୟ, ଆଗ୍ରାରେ ଆମେରିକାର ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
previous post
next post