କଣିହାଁ/ଜ୍ୟୋତିରଂଜନ ଧର: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ହରିହରପୁର ପଂଚାୟତ ଯଦୁନାଥପୁର ନିକଟସ୍ଥ ଜାତୀୟ ରାଜପଥ ରାସ୍ତାରେ ଗୁରୁବାର ପୂର୍ବାହ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଫଳସୂରୁପ ପ୍ରାୟ ୩୦ମିନିଟି ପର୍ଯ୍ୟନ୍ତ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ସାଇକେଲ, ବାଇକ୍, କାର ଓ ଭାରିଯାନଗୁଡିକ ଅଟକି ରହିଥିଲା । ଖାଲି ସେତିକି ନୁହେଁ ଏକ ୱାଗନର ଗାଡି ଯୋଗେ ରୋଗୀକୁ ଧରି କଣିହାଁ ବ୍ଲକ ମାଳପଶି ଗାଁର ଗୋଟିଏ ପରିବାରକୁ ରାସ୍ତାରେ ଅଟକି ରହିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଗାଡିରେ ଥିବା ଶିଶୁ ରୋଗୀର ପେଟରେ ଯନ୍ତ୍ରଣା ବେଳେ ଟ୍ରାଫିକ ସମସ୍ୟାରେ ରାସ୍ତା ଅବରୋଧ ଶିଶୁଟିର ଯନ୍ତ୍ରଣାକୁ ଅସହ୍ୟ କରିପକାଇଥିଲା ।
ସୂଚନାରୁ ଯୋଗ୍ୟ, ଗୋଡିବନ୍ଧ-ଏନଟିପିସି ବାଇପାସ୍ ତଥା କଣିହାଁ ବ୍ଲକ ଅଭିମୁଖେ ଏହା ଏକମାତ୍ର ରାସ୍ତା । ଏକ ତାପଜ ବିଦ୍ୟୁତ୍ କମ୍ପାନୀ ପାଇପ୍ ଲାଇନ କାମକୁ ଏକ ଠିକାସଂସ୍ଥାକୁ ମିଳିଛି । ସଂପୃକ୍ତ ଠିକାସଂସ୍ଥା ପକ୍ଷରୁ ଆଜି ପୂର୍ବାହ୍ନ ସମୟରେ ଯଦୁନାଥପୁର ନିକଟସ୍ଥ ଜାତୀୟ ରାଜପଥ ଉପରେ ରାସ୍ତାକୁ ଅବରୋଧ କରି ପାଇପ୍ ବିଛାଇବା କାର୍ଯ୍ୟ ଚାଲିଥିଲା । ଏଣୁ ଅଧଘଣ୍ଟାଏ ପର୍ଯ୍ୟନ୍ତ ଗାଡି ଆରୋହୀ, ପଥଚାରୀମାନଙ୍କୁ ରାସ୍ତାରେ ଅଟକ ରହିବାକୁ ପଡିଥିଲା । ରାଜପଥକୁ କବ୍ଜ୍ଜା କରି ଠିକାସଂସ୍ଥାର ଏଭଳି ମନମୁଖି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଥିଲା ।