ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି: କରୋନା ମହାମାରି ଯୋଗୁଁ ଦାଦନ ଯନ୍ତ୍ରଣା ଭୟଙ୍କର ହେବାରେ ଲାଗିଛି । ଏହି ମହାମାରୀରେ କେତେ ଯେ ଜୀବନ ଯାଇଛି, କେତେ ଘର ଉଜୁଡି ଯାଇଛି, କେତେ ଜଣ ନିଖୋଜ ହୋଇଯାଇଛନ୍ତି ତାର ଠିକଣା ନାହିଁ । ଦାଦନ ଯନ୍ତ୍ରଣାକୁ ନେଇ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲାକନଗିରି ଜିଲ୍ଲା ମାଥିଲି ବ୍ଲକ ଚେଡାଙ୍ଗା ପଚାଂୟତର ଗୁରୁଗୁଡା ଗ୍ରାମରେ । ଗ୍ରାମର ପୁଅ ମୁକୁନ୍ଦ ପୂଜାରୀ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ବେଳେ ନିଖୋଜ ହୋଇଯାଇଛି ଏହି ଲକଡାଉନ ସମୟରେ । ଏହି ଖବର ପାଇବା ପରେ ତାର ବୃଦ୍ଧ ବାପ ବଳି ପୂଜାରୀ ଦୁଃଖରେ ଆଖିବୁଜି ଦେଇଛନ୍ତି ।
ବଳି ଜଣେ ଗରିବ ଆଦିବାସୀ । ଘରକୁ ସାତପ୍ରାଣୀ କୁଟୁମ୍ବ । ପରଘରେ ମୂଲ ମଜୁରୀ ଲାଗି ନିଜ ୨ପୁଅଙ୍କୁ ପାଠ ପଢାଉଥିଲେ । ବଡ ପୁଅ ମୁକୁନ୍ଦ ପୂଜାରୀ ଯୁକ୍ତ ଦୁଇରେ ପାଠପଢୁଥିବା ବେଳେ ସାନପୁଅ କୃଷ୍ଣ ପୂଜାରୀ ୯ମ ଶ୍ରେଣୀରେ ପଢୁଛି । ବଡ ଦୁଇ ଝିଅ ବିବାହ ହୋଇ ଯାଇଛନ୍ତି, ଦୁଃଖେ କଷ୍ଟେ ପରିବାର ଚଳିଯାଉଥିଲା । ବୟସ ବଢିବା ସାଙ୍ଗକୁ ବେମାର ମାଡିବସିବାରୁ ବଳିଙ୍କୁ । ଆଉ କାମକୁ ଯାଇ ପାରିଲେ ନାହିଁ । ଘରର ବୋଝ ବଡପୁଅ ମୁକୁନ୍ଦଙ୍କୁ ମୁଣ୍ଡାଇହାକୁ ପଡିଲା । ପାଠପଢାରେ ଡୋରି ବନ୍ଧା ହୋଇଗଲା । ସେ ବାପାଙ୍କର ଚିକିତ୍ସା, ସାନଭାଇର ପଢା ଖର୍ଚ୍ଚ, ପରିବାର ଚଳାଇବା ପାଇଁ ଗତ ୬ମାସତଳେ ଗାଁର ଅନ୍ୟ କିଛି ପିଲାମାନଙ୍କ ସହିତ ତେଲାଙ୍ଗାନା ରାଜ୍ୟ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଚାଲିଗଲେ ।
ଗତ କିଛି ଦିନତଳେ ତାଙ୍କ ସାଥିରେ ଯାଇଥିବା ସାଙ୍ଗମାନେ ବଳି ପୁଜାରୀଙ୍କୁ ଫୋନ ଯୋଗେ କହିଥିଲେ ତୁମ ପୁଅ ମୁକୁନ୍ଦ ନିଖୋଜ ହୋଇ ଯାଇଛି । ପୁଅ ନିଖୋଜ ଖବର ଶୁଣି ଦୁଃଖରେ ବାପା ହଠାତ ବସିବାସ୍ଥାନରୁ ଅଚେତ ହୋଇ ଟଳିପଡିଥିଲେ । ପରିବାର ଲୋକେ ପାଣି ଛାଟି ଚେତା କରିଥିଲେ । ପୁଅର ନିଖୋଜ ଖବର ପାଇଲା ଦିନ ଠାରୁ ବଳି ପୁଜାରୀ ଖାଇବା ପିଇବା ସବୁ ଛାଡିଦେଇ ମୁକ ପ୍ରାୟ ହୋଇ ବସିରହୁଥିଲେ । ସେ କେତେ ଆଶା କରିଥିଲେ ପୁଅ ରୋଜଗାର କରିବାକୁ ଯାଇଛି ଦୁଇପଇସା ଆଣିଲେ ଘରଚିଳିବ । କିନ୍ତୁ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ଏହି ଦୁଃଖରେ ଶେଷରେ ଆଜି ସକାଳେ ପରିବାର ଲୋକେ ତାଙ୍କୁ ମୃତ ପାଇଥିଲେ । ଏହି ଦୁଃଖଦ ଖବର ଗୁରୁଗୁଡା ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟାଖଳାଇ ଦେଇଛି । ଘରେ ବିଧବା ବୃଦ୍ଧା ସ୍ତ୍ରୀ ଓ ତାଙ୍କର ସାନପୁଅ କୃଷ୍ଣ ଏବେ ଅସହାୟ ଅବସ୍ଥାରେ ରହିଛନ୍ତି । ଏହି ଗରିବ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବିକରିଛନ୍ତି ।
