ବୌଦ୍ଧ: ଅବିଭକ୍ତ ବୌଦ୍ଧ ଜିଲ୍ଲାର ପୂର୍ବତନ ବିଧାୟକ ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅନୁଗତ ପ୍ରହଲ୍ଲାଦ ବେହେରାଙ୍କ ଆଜି ସକାଳେ ୮୮ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ଏକ ଲମ୍ବା ସମୟରୁ ସେ ଅସୁସ୍ଥତାକୁ ନେଇ ଚିକିତ୍ସିତ ଥିଲେ । ମୃତ୍ୟୁ ସମୟରେ ସେ ବୁଲ୍ଲା ହସ୍ପିଟାଲରେ ଚିକିତ୍ସତ ଥିଲେ । ଆଜି ବଡି ଭୋର ୪.୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି । ତାଙ୍କ ମୃତ୍ୟୁର ଖବର ପ୍ରସାର ହେବା ପରେ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଶେଷ ଦର୍ଶନ ପାଇଁ ଦଳୀୟ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଭିଡ ଦେଖିବାକୁ ମିଳିଛି ।
ସେ ବୌଦ୍ଧ ଜିଲ୍ଲା ହରଭଙ୍ଗାର ବାସିନ୍ଦା ଥିଲେ । ସେ ବିଜୁ ବାବୁଙ୍କ ଅତି ନିକଟତର ଓ ଅନୁଗାମୀ ଥିଲେ । ପର୍ବୂତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶ।।ସ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ସେ ତାଙ୍କୁ କାର ଚଳାଇ ପୁରୀ ଯାଇଥିଲେ । ଏହା ପରେ ସେ ବିଜୁବାବୁଙ୍କ ଦୃଷ୍ଟିକୁ ଆସିଥିଲେ ଓ ଏହା ପରେ ବିଜୁବାବୁ ତାଙ୍କୁ ତାଙ୍କ ଡ୍ରାଇଭର ଭାବେ ନିୟୋଜିତ କରିଥିଲେ । କିନ୍ତୁ ରାଜନୀତି ପ୍ରତି ପ୍ରହଲ୍ଲାଦଙ୍କ ପ୍ରବଳ ଦୁର୍ବଳତା, ତାଙ୍କ ନିଷ୍ଠା, ତ୍ୟାଗ, ଆନୁଗତ୍ୟ ଓ ବିଶ୍ୱସନୀୟତା ପାଇଁ ତାଙ୍କୁ ୧୯୭୭ରେ ଫୁଲବାଣୀରୁ ଜନତା ଦଳରୁ ଟିକେଟ ମିଳିଥିଲା ଓ ସେ ବିଧାୟକ ହୋଇଥିଲେ । ସେ ବୌଦ୍ଧ ଜିଲ୍ଲାର ବିକାଶ ପାଇଁ ଅନେକ ଯୁଗାନ୍ତକାରୀ କାର୍ଯ୍ୟ କରିଯାଇଛନ୍ତି, ଯେଉଁଥିପାଇଁ ସେ ବୌଦ୍ଧବାସୀଙ୍କ ପାଇଁ ସଦା ସ୍ମରଣୀୟ ହୋଇ ରହିବେ । ସେ ବିଧାୟକ ହୋଇଥିଲେ ମଧ୍ୟ ତାଙ୍କ ଜୀବନ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରି ଦେଇଥିଲେ । ନିଜ ପାଇଁ କିଛି ସାଇତି ରଖିନଥିଲେ ଅନ୍ୟମାନଙ୍କ ପାଇଁ । ଯେଉଁଥିପାଇଁ ଜୀବନର ଶେଷ ମୁହୂର୍ତ୍ତରେ ଦାରିଦ୍ର୍ୟରେ ତାଙ୍କ ଜୀବନ ବିତିଥିଲା । ଚିକିତ୍ସା ପାଇଁ ମଧ୍ୟ ତାଙ୍କ ନିକଟରେ ନଥିଲା ଅର୍ଥ । ଶେଷରେ ଦୀର୍ଘ ଯନ୍ତ୍ରଣା ପରେ ଆଜି ସେ ସବୁ ଦିନ ପାଇଁ ଇହଲୀଳା ସମ୍ବରଣ କରିଛନ୍ତି ।
