ଆଜି ମହାପ୍ରଭୁଙ୍କ ସୁନାବେଶ । ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ତିନି ରଥରେ ମହାପ୍ରଭୁଙ୍କ ଅନନ୍ୟ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହେବେ। ରଥ ଉପରେ ମଇଲମ ଓ ଏକାଦଶୀ ସର୍ବାଙ୍ଗ ନୀତି ବଢ଼ିବା ପରେ ଠାକୁରଙ୍କ ସୁନାବେଶ ନୀତି ଆରମ୍ଭ ହେବ। ରଥାରୂଢ଼ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହେବ । ମହଣ ମହଣ ସୁନାରେ ସଜ୍ଜିତ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଆଷାଢ଼ ଶୁକ୍ଲ ପକ୍ଷ ଏକାଦଶୀରେ ସିଂହଦ୍ୱାରଠାରେ ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି ।
ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଥିବା ବେଳେ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି । ସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେବ । ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ । ସୁନାବେଶ ଅବସରରେ ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଆସିବେ । ସେଥିପାଇଁ ପାରାଦୀପ, ଅନୁଗୁଳ, ଭଦ୍ରକ, ତାଳଚେର, କେନ୍ଦ୍ରାପଡ଼ା ରୋଡ, ଢେଙ୍କାନାଳ, ବାଲେଶ୍ୱର, ବ୍ରହ୍ମପୁର, କେନ୍ଦୁଝରଗଡ଼, ଖୋର୍ଦ୍ଧା ରୋଡ ଏବଂ ଦଶପଲ୍ଲାରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଟ୍ରେନ ଚଳାଚଳକୁ ତଦାରଖ କରିବା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି ।
