ପ୍ରଦୂଷଣକୁ ନେଇ ଦେଶର ରାଜଧାନୀ ଦିଲ୍ଲୀ ଚିନ୍ତାଜନକ ସ୍ଥିତିରେ ରହିଥିବା ବେଳେ ଏବେ ଦିନକୁ ଦିନ ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା । ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତାଳଚେର, ବାରିପଦା ଓ ଅନୁଗୁଳ ୩ ସହର ରହିଛି । ବାୟୁ ପ୍ରଦୂଷଣରେ ସାରା ଦେଶରେ ତାଳଚେର ସହର ଏକ ନମ୍ବର ହେବା ପରେ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଦୂଷଣ ମୁକାବିଲା ପାଇଁ ତାଳଚେରରେ ଲାଗିଛି ୭ ଦିନିଆ କଟକଣା । ପ୍ରଦୂଷଣ ରୋକିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସନ୍ଧ୍ୟା ୬ରୁ ସକାଳ ୧୦ ମଧ୍ୟରେ ସମସ୍ତ ନିର୍ମାଣ ବନ୍ଦ ରହିବ । କେବଳ ସେତିକି ନୁହେଁ ଦିନକୁ ୩ ଥର ପାଣି ସିଞ୍ଚନ ପାଇଁ ପୌରପାଳିକା, ଏନ୍ଏଚ୍ଏଆଇ ଓ ଏମ୍ସିଏଲ୍କୁ ପରାମର୍ଶ ଦିଆଯାଇଛି । ତାଳଚେର ସହର ଭିତରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ଭାରୀ ଯାନ ପ୍ରବେଶ । ଢାବାରେ କୋଇଲା ଜାଳେଣି, ଆବର୍ଜନା ପୋଡ଼ିବା ସମ୍ପୂର୍ଣ୍ଣ ମନା ହୋଇଛି । କୋଇଲା ଓ ପାଉଁଶ ଟ୍ରକ୍ ଉପରେ କଟକଣା ପାଇଁ ଉପଜିଲ୍ଲାପାଳ ଓ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୭ ଦିନ ପାଇଁ ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନୁଗୁଳ ଜିଲ୍ଲାପାଳ ପୋଲିସ, ପୌରପାଳିକା, କାର୍ଯ୍ୟନିର୍ବାହୀ ସଂସ୍ଥା ଓ ଆରଟିଓକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
previous post
next post
