ଓଡିଶା

ନୂଆ ଡିଜି ନିଯୁକ୍ତିକୁ ନେଇ ଅଙ୍କକସା ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଡିସେମ୍ବରରେ ଶେଷ ହେବ ଓଡିଶା ପୁଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ । ୨୦୧୯ ଡିସେମ୍ବର ୯ରେ ଡିଜିପି ଭାବେ ଦାୟିତ୍ୱ ନେଇଥିବା ଅଭୟଙ୍କ ଚାକିରି କାର୍ଯ୍ୟକାଳ ଜୁନରେ ଶେଷ ହୋଇଥିଲେ ମଧ୍ୟ ଜଣେ ଡିଜିପିଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବାର ନିୟମ ଦୃଷ୍ଟିରୁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳକୁ ୬ ମାସ ବଢାଇ ଦେଇଥିଲେ, ଯାହା ଡିସେମ୍ବରରେ ଶେଷ ହେବ । ତେଣୁ ତାଙ୍କ ପରେ ରାଜ୍ୟ ପୁଲିସର ସର୍ବମୟ କର୍ତ୍ତା କିଏ ହେବ, କିଏ ହେବ ପରବର୍ତ୍ତୀ ଡିଜିପି ତାକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କକସା । ଆଗକୁ ଦଶହରା । ଦଶହରା ପରେ ନୂଆ ଡିଜିପି ନିଯୁକ୍ତି ପାଇଁ ପ୍ରକ୍ରିୟାକରଣ ଆରମ୍ଭ ହେବ । ଏହାକୁ ନେଇ ପୁଲିସ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ରହିଛି । ତେଣୁ ଏହା ପୂର୍ବରୁ ଏହି ପଦ ପୂରଣ କରିବାକୁ ହେବ । ତେବେ କାହାକୁ ଭରସା କରିବେ ସୁପ୍ରିମୋ? କାହା ନାମକୁ ସୁପାରଶ କରାଯିବ ତାକୁ ନେଇ ତର୍ଜମା ଆରମ୍ଭ ହୋଇଗଲାଣି ।

ଡିଜି ନିଯୁକ୍ତି ପୂର୍ବରୁ ରାଜ୍ୟ ସରକାରଙ୍କୁ ଏକ ୮ ଜଣିଆ ନାମ ତାଲିକା ୟୁପିଏସସିକୁ ପଠାଇବାକୁ ହେବ । ୟୁପିଏସସି କମିଟି ଏହା ଉପରେ ବିଚାର ବିମର୍ଷ କରି ୩ ଜଣଙ୍କ ନାମକୁ ସର୍ଟଲିଷ୍ଟ କରି ରାଜ୍ୟ ସରକାରଙ୍କୁ ପଠାଇବେ । ସେମାନଙ୍କ ମଧ୍ୟରୁ ରାଜ୍ୟ ସରକାର ନିର୍ଣ୍ଣୟ କରିବେ କାହାକୁ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ବସାଇବେ । ତେବେ ସବୁ କିଛି ରାଜ୍ୟ ସରକାରଙ୍କ ଇଛା ଅନୁଯାୟୀ ହେବ ନାହିଁ । ସର୍ଟଲିଷ୍ଟେଡ ନାମଧାରୀ ମଧ୍ୟ ରାଜି ହେବା ଦରକାର ଏହି ପଦକୁ ଗ୍ରହଣ କରିବା ପାଇଁ । ଯଦି ସେମାନଙ୍କ ମଧ୍ୟରୁ କେହି ରାଜି ନ ହୁଅନ୍ତି ତେବେ ପୁଣି ଥରେ ୮ ଜଣିଆ ତାଲିକା ଯିବ ୟୁପିଏସସିକୁ । ତେଣୁ ପ୍ରଥମେ ରାଜ୍ୟକୁ ୮ ଜଣଙ୍କୁ ବାଛିବାକୁ ହେବ ଏହି ନିଯୁକ୍ତି ପାଇଁ ।

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଣେ ଅଧିକାରୀ ଡିଜିପି ପୋଷ୍ଟରେ ନିଯୁକ୍ତି ପାଇବା ବେଳେ ତାଙ୍କର କାର୍ଯ୍ୟକାଳ ଅନ୍ୟୁନ ୬ ମାସ ରହିଥିବ ତଥା ବରିଷ୍ଠତା ଓ ମେରିଟକୁ ଗୁରୁତ୍ୱ ଦିଆଯିବ । ଏହି ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଆଇପିଏସ ପ୍ରଦୀପ କପୁର, ବିଜୟ ଶର୍ମା, ସୁନୀଲ ବଂଶଲ, ମନୋଜ ଛାବ୍ରା, ସନ୍ତୋଷ ଉପାଧ୍ୟା, ଅରୁଣ ରାୟ, ଏମ ଅକ୍ଷୟ ଓ ବିନୟାନନ୍ଦ ଝାଙ୍କ ନାମ ରହିଛି । କିନ୍ତୁ ଏହି ନାମରେ ଥିବା ୧୯୮୬ ବ୍ୟାଚର ଆଇପିଏସ ବିଜୟ ଶର୍ମାଙ୍କ ନାମରେ ବହୁ ଅଭିଯୋଗ ରହିଛି । ଅବଶ୍ୟ ଅଭିଯୋଗ ସମ୍ବନ୍ଧିତ କୌଣସି ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଇ ନାହିଁ । କିନ୍ତୁ ସରକାରୀ କଳ ସହ ଖାପ ଖୁଆଇ ଚଳି ପାରି ନ ଥିବାରୁ ତାଙ୍କ ନାମକୁ ବାଦ ଦିଆଯିବାର ସମ୍ଭାବନା ରହିଛି । ସେହିପରି ୧୯୮୮ ବ୍ୟାଚର ବିଜୟାନନ୍ଦ ଝାଙ୍କ କାର୍ଯ୍ୟକାଳ ମାର୍ଚ୍ଚରେ ଶେଷ ହେଉଛି, ଅର୍ଥାତ୍ ଡିସେମ୍ବରରୁ ୬ ବର୍ଷ ରହୁନାହିଁ । ଶର୍ମାଙ୍କ ପଛକୁ ରହୁଛନ୍ତି ୧୯୮୭ ବ୍ୟାଚର ଆଇଏପିଏସ ସୁନୀଲ ବଂଶଲ । ସେ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । ତାଙ୍କ ପରେ ଆସିବେ ୧୯୮୮ ବ୍ୟାଚର ସଶସ୍ତ୍ର ପୁଲିସ ବାହିନୀର ସ୍ୱତନ୍ତ୍ର ଡିଜିପି ମନୋଜ ଛାବ୍ରା, କମ୍ୟୁନିକେସନ ସ୍ପେସାଲ ଡିଜି ଅରୁଣ ରାୟ, ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ, ୧୯୮୮ ବ୍ୟାଚର ଏମ ଅକ୍ଷୟ ।

Related posts

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥକାମ ଅନୁକୂଳ

mahabharatanews

ଜନତା କର୍ଫ୍ୟୁ କଲ୍ୟାଣସିଂହପୁର ବ୍ଲକରେ ସମ୍ପୂର୍ଣ୍ଣ ସଫଳ

mahabharatanews

ତୁଳସୀ ସଂସ୍କୃତ ମହାବିଦ୍ୟାଳୟରେ ବିଶ୍ବକପ୍ ହକି ନିମନ୍ତେ ସଚେତନତା ରାଲି

mahabharatanews

Leave a Comment