(ଚେନ୍ନାଇ): ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ରାଜନୈତିକ ଯୋଜନା ସମ୍ପର୍କରେ ଆଭାସ ଦେଇଛନ୍ତି । ଗୁରୁବାର ଚେନ୍ନାଇ ଠାରେ ଏକ ସାମ୍ବାଦିକ ତାଙ୍କର ରାଜନୈତିକ ଭବିଷ୍ୟତ ବିଷୟରେ ସେ କହିଛନ୍ତି । ତାମିଲନାଡୁରେ ରାଜନୈତିକ ପରିବର୍ତ୍ତନ ଆଣିବା ପାଇଁ ସେ ନୂଆ ଦଳ ଗଠନ କରିବେ ବୋଲି ସୂଚନା ଦେଇଛନ୍ତି । ଯେଉଁଥିରେ ସରକାର ଓ ଦଳ ଅଲଗା ଅଲଗା କାମ କରିବେ । ତେବେ ଏହି ଦଳ ସେ କେବେ ଗଢିବେ ଓ ଏହାର ନାମ ବିଷୟରେ ସେ ଉଲ୍ଲେଖ କରିନାହାନ୍ତି । ତେବେ ସେ ଦଳର ନେତା ହେବେ କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ଇଚ୍ଛୁକ ନଥିବା କହିଛନ୍ତି । ଏହି ଭାର ନିଜ ଦଳର ଜଣେ ଯୁବ ନେତୃତ୍ୱ ହାତରେ ରହିବ । ତାଙ୍କ ଯୋଜନା ଅନୁଯାୟୀ, ଯିଏ ଦଳର ନେତୃତ୍ୱ ନେବ ସେ ସରକାର ଅଂଶ ହେବ ନାହିଁ । ଏହି ଦଳରେ ୨ ପ୍ରକାରର ନେତୃତ୍ୱ ରହିବ । ଗଠନମୂଳକ ସମାଲୋଚନା ପାଇଁ ଦଳ ମଧ୍ୟରେ ହିଁ ଏକ ବିରୋଧୀ ପକ୍ଷ ରହିବ । ଦଳ କ୍ଷମତା ହାତେଇବା ଅପେକ୍ଷା ଏକ ବିରୋଧୀ ଦଳର ଭୂମିକା ନିର୍ବାହ କରିବା ଉପରେ ଗୁରୁତ୍ୱ ଦେବ । ଏହି ସାଉଥ ସୁପରଷ୍ଟାର ରାଜନୀତିକୁ ନେଇ କରିଥିବା ଯୋଜନା ଅନୁସାରେ, ତାଙ୍କ ଦଳରେ ଯୁବ ପୀଢିଙ୍କୁ ଗୁରୁତ୍ୱ ଦିଆଯିବ । ଦଳରେ ଅବସରପ୍ରାପ୍ତ ଆଇଏଏସ, ଆଇପିଏସ ଓ ବିଚାରପତିମାନଙ୍କୁ ନିଆଯିବ । ରଜନୀକାନ୍ତ ନିଜେ ଏହି ଅଭିଜ୍ଞ ବ୍ୟକ୍ତିମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଦଳରେ ସାମିଲ କରିବେ ।
ତେବେ ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କର ରାଜନୀତିକୁ ନେଇ ଏଭଳି ନିଷ୍ପତ୍ତି ନେବା ସମ୍ପର୍କରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ସେ ରଖିଥିଲେ । ତାମିଲନାଡୁ ରାଜନୀତିରେ କେବଳ ଦୁଇଟି ମହାନ ବ୍ୟକ୍ତିତ୍ୱ ଥିଲେ । ଜଣେ ଜୟଲଳିତା ଆଉ ଜଣେ ଏମ. କରୁଣାନିଧି । ଏମାନଙ୍କ ପରେ ତାମିଲନାଡୁ ରାଜନୀତିରେ ଜନତାଙ୍କ ସ୍ୱାର୍ଥକୁ କେହି ଧ୍ୟାନ ଦେଉନାହାନ୍ତି । ଏଣୁ ସେ ତାମିଲନାଡୁ ରାଜନୀତିରେ ପରିବର୍ତ୍ତନ ଆଣିବାକୁ ଚାହୁଛନ୍ତି । ଏଥିପାଇଁ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ ।
