(ମହାଭରତ): ‘ତେରି ଗାଲୋମେଁ ନୈନିତାଲ,ବାକି ସବ ତଲୟା’ । ଏହି ଗୀତଟି ଆପଣ ଶୁଣିଥିବେ ନିଶ୍ଚୟ । ୧୯୯୯ରେ ଅଜୟ ଦେବଗନଙ୍କ ଅଭିନୀତ ‘ହୋଗି ପ୍ୟାର କି ଜିତ୍’ ଫିଲ୍ମର ଏହି ଗୀତରେ ନୈନିତାଲର ନୈସର୍ଗିକ ଶୋଭାକୁ ପ୍ରେମିକାର ଗାଳ ସହ ତୁଳନା କରାଯାଇଥିଲା । ଯାହାକି ସେ ସମୟରେ ବଡ ଚର୍ଚ୍ଚିତ ହୋଇଥିଲା ।
ବାସ୍ତବରେ ନୈନିତାଲର ଏମିତି ବର୍ଣ୍ଣନା କିଛି ଅସମିଚୀନ ନୁହେଁ । କାରଣ ତା ଅପୂର୍ବ ଶୋଭା ଆପଣ ଥରେ ଦେଖିଲେ ବିମୋହିତ ହୋଇପଡିବେ । ଏହି କଥା କହିବାର କାରଣ ହେଉଛି,ଆଜି ଆମେ ଆପଣଙ୍କୁ ସେହି ନୈସର୍ଗିକ ଶୋଭାରାଜି ସମ୍ପନ୍ନ ନୈନିତାଲ ଆଡେ ବୁଲେଇ ନବୁ । ଆପଣର ବି ଆମର ସହ ମନେ ମନେ ସେଠୁ ବୁଲିଆସିବା ପରେ ସତ ସତିକା ଯିବାକୁ ଇଚ୍ଛା ପ୍ରକାଶ କରିବେ ।
ନୈନିତାଲ:
ଉତ୍ତରାଖଣ୍ଡ ରାଜ୍ୟର ହିମାଳୟ ପାଦ ଦେଶରେ ରହିଛି ଏହି ସୁନ୍ଦର ଓ ମନୋରମ ହିଲ ଷ୍ଟେଶନ । ସୁନ୍ଦର ବନରାଜି,ଉଚ୍ଚ ପର୍ବତାମାଳା ପରିବେଷ୍ଠିତ ଏହି ଅଞ୍ଚଳ ସବୁ ବର୍ଗର ଲୋକଙ୍କ ଲାଗି ଆମୋଦଦାୟକ । ବରାଫାବୃତ୍ତ ପାହାଡ ବେଢି ରହିଥିବା ଏହି ଅଞ୍ଚଳକୁ ହ୍ରଦର ସହର ବା ‘ଝିଲୋଁ କାଁ ସହର’ ବୋଲି ମଧ୍ୟ କୁହାଯାଏ । କାରଣ ଏଠାରେ ଅନେକ ଛୋଟ ବଡ ହ୍ରଦ ରହିଛି । ଯାହା ଜିତରୁ ନୈନା ହ୍ରଦ ପ୍ରମୁଖ ।
ପଙ୍ଗୋଟ :
ନୈନିତାଲ ବୁଲିବାକୁ ଗଲାବେଳେ ପଙ୍ଗୋଟ ଗାଁ ଯେମିତି ବୁଲିଯିବାକୁ ଭୁଲି ନ ଯାଆନ୍ତି । କାରଣ ଏହା ହେଉଛି ନୈନିତାଲ ସବୁଠାରୁ ସୁନ୍ଦରତମ ଗାଁ । ନୈନିତାଲଠାରୁ ୧୩ କିମି ଦୂରରେ ରହିଥିବା ଏହି ଗାଁକୁ ଯିବା ବାଟରେ ଆପଣ ଚିନା ପିକ୍ ରେଞ୍ଜ,ସ୍ନୋ ଭ୍ୟୁ ପଟଣ୍ଟ ଓ କିଲବୁରୀ ଆଦି ଭ୍ରମଣସ୍ଥଳ ବୁଲି ପାରିବେ । ଗ୍ରାମର ସବୁଠାରୁ ମୁଖ୍ୟ କଥା ହେଉଛି ,ଏଠାରେ ପ୍ରାୟ ୫୮୦ ପ୍ରଜାତୀର ପକ୍ଷୀ ଦେଖିବାକୁ ମିଳନ୍ତି । ଏଗୁଡିକ ମଧ୍ୟରୁ ୧୫୦ଟି ଘରୋଇ ପ୍ରଜାତୀର ହୋଇଥିବାବେଳେ ବାକି ସବୁ ଭ୍ରମଣକାରୀ । ଏଣୁ ଏହାକୁ ପକ୍ଷୀପ୍ରେମିଙ୍କ ଭୂସ୍ୱର୍ଗ ବୋଲି ମଧ୍ୟ କୁହାଯାଇଥାଏ ।