(ମହାଭାରତ): ମହାରାଷ୍ଟ୍ର ସ୍ଥିତ ପର୍ଭଣୀ ହେଉଛି ଏମିତି ଏକ ସ୍ଥାନ,ଯେଉଁଠାରେ ଅନେକ ଦେବାଦେବୀ ମନ୍ଦିର ଦେଖିବାକୁ ମିଳିଥାଏ । ଖାସ ସେଥିପାଇଁ ଏଠାରେ ବର୍ଷ ସାରା ଭକ୍ତଗଣଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ ।
ମହାରାଷ୍ଟ୍ର ପର୍ଭଣୀ ଜିଲ୍ଲା ଅନ୍ତର୍ଗତ ଏକ ସହର ହେଉଛି ପର୍ଭଣୀ । ଏହା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଠାରୁ ପ୍ରାୟ ୪୯୧କି.ମି ଏବଂ ଔରଙ୍ଗାବାଦଠାରୁ ପ୍ରାୟ ୨୦୦ କି.ମି ଦୂରରେ ଅବସ୍ଥିତ । ପର୍ଯ୍ୟଟନ ଦୃଷ୍ଟି କୋଣରୁ ଦେଖିଲେ ଏଠାରେ ରହିଛି ଅନେକ ଆକର୍ଷଣୀୟ ଦର୍ଶନୀୟସ୍ଥଳୀ । ବିଶେଷ କରି ବହୁ ଦେବାଦେବୀ ମନ୍ଦିର ବି ଏଠାରେ ରହିଛି,ଯାହାକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି ।
ପର୍ଭଣୀକୁ ବର୍ଷର ଯେକୌଣସି ସମୟରେ ବୁଲି ଯାଇହେବ । କାରଣ ବର୍ଷ ସାରା ବୁଲାବୁଲି କରିବା ପାଇଁ ଏଠାକାର ପାଣିପାଗ ବେଶ ଅନୁକୂଳ ରହିଥାଏ । ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ଭଲ ସୁବିଧା ରହିଛି । ପର୍ଭଣୀ ଜଙ୍କଶନ ରେଲୱେ ଷ୍ଟେସନ ଏଠାକାର ନିକଟତମ ରେଳଷ୍ଟେସନ ହୋଇଥିବା ବେଳେ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟର ନ୍ୟାଶନାଲ ଏୟାରପୋର୍ଟ ହେଉଛି ଏହାର ନିକଟବର୍ତ୍ତୀ ବିମାନବନ୍ଦର । ତା ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ ବି ଯା ଆସ କରିଥାଏ । ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେମାନେ ସେଥିରେ ଯାଇ ଆରାମରେ ପର୍ଭଣୀରେ ପହଞ୍ଚିପାରିବେ ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ଭଣୀରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଦର୍ଶନୀୟ ସ୍ଥାନ । ଖାସ କରି ଏଠାରେ ଅନେକ ଦେବାଦେବୀ ମନ୍ଦିର ଦେଖିବାକୁ ମିଳିଥାଏ । ଯେମିତିକି: ଶ୍ରୀ ମୋଟା ମାରୁତି ମନ୍ଦିର,ଶ୍ରୀ ସୁପାରୀ ହନୁମାନ ମନ୍ଦିର,ଜବ୍ରେଶ୍ୱର,ଅଷ୍ଟଭୁଜ ମନ୍ଦିର,ପାରଦେଶ୍ୱର ମନ୍ଦିର,ବେଲେଶ୍ୱର ମନ୍ଦିର,ଶ୍ରୀ ସିଦ୍ଧି ବିନାୟକ ଗଣପତି ମନ୍ଦିର,ନାଗରାଜ ମନ୍ଦିର,ମାତା ହିଙ୍ଗୁଳା ଅମ୍ବିକା ମନ୍ଦିର,ମୁଗଲେଶ୍ୱର ମନ୍ଦିର,ପିଙ୍ଗଳେଶ୍ୱର ମନ୍ଦିର ଇତ୍ୟାଦି ଅନ୍ୟତମ । ଏସବୁ ବ୍ୟତୀତ ପର୍ଭଣୀର ଅନ୍ୟତମ ଆକର୍ଷଣ ହେଉଛି ତୁରବୁଲ ହକ୍ ଦର୍ଘ । ଏଠାରେ ପ୍ରତିବର୍ଷ ପାଳିତ ହେଉଥିବା ବାର୍ଷିକୋତ୍ସବ ଖୁବ ମନମୁଗ୍ଧକର ହୋଇଥାଏ । ଯାହାକୁ ଦେଖିବାକୁ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଏସବୁ ବ୍ୟତୀତ ପର୍ଭଣୀରେ ଅନେକ ଚର୍ଚ୍ଚ ବି ଦେଖିବାକୁ ମିଳେ ।
