(ମହାଭାରତ, ଜଳେଶ୍ୱର): ଜଳେଶ୍ୱର ଅନ୍ତର୍ଗତ କମରଦା ଥାନା ବାଉଁଶଡିହା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ଜଣେ ମହିଳା ପୁଅ ଜନ୍ମ ଦେଇ ନପାରିବାରୁ ତାଙ୍କୁ ଶାଶୂଘର ଲୋକଙ୍କ ନିର୍ଯାତନାର ସହିବାକୁ ପଡିଛି । ଫଳରେ ଶାଶୂ ଓ ବିବାହିତା ନଣନ୍ଦଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇ ପୀଡିତା ଜଣକ ପୋଲିସର ଆଶ୍ରୟ ନେଇଛନ୍ତି । ସୂଚନା ଅନୁଯାୟୀ, ଏହି ଗାଁର ସନ୍ଦୀପ ପ୍ରଧାନ ବାର ବର୍ଷ ତଳେ ସବିତାଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପର୍ଯ୍ୟନ୍ତ ସବୁ ଠିକ ଠାକ୍ ଚାଲିଥିଲା । ପରେ ମହିଳା ଜଣକ ଗୋଟିକ ପରେ ଗୋଟିଏ କରି ୩ଟି ଝିଅର ଜନନୀ ହୋଇଥିଲେ । ତେବେ ଏଯାଏ ଗୋଟିଏ ହେଲେ ପୁଅ ଜନ୍ମ ଦେଇ ନପାରିବାରୁ ଶାଶୂ ଓ ନଣନ୍ଦ ତାଙ୍କୁ ଅଶ୍ଳୀଳ ଗାଳି ଗୁଲଜ ସହ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଚାଲିଥିଲେ । କିନ୍ତୁ ସ୍ୱାମୀ ରୋଗଗ୍ରସ୍ତ ହୋଇ ପଡିଥିବାରୁ କୁନି କୁନି ଝିଅମାନଙ୍କ ମୁହଁକୁ ଚାହିଁ ସେ ସବୁକିଛି ସହି ଚାଲିଥିଲେ । କିନ୍ତୁ ଏତିକିରେ ତାଙ୍କ ଦୁଃଖ ସରି ନଥିଲା । ଘରେ ଥିବା ଅବିବାହିତ ଦିଅରର ଲୋଲୁପ ଦୃଷ୍ଟି ମଧ୍ୟ ତାଙ୍କ ଉପରେ ପଡିଥିଲା । ଏନେଇ ଗାଁରେ ବାରମ୍ବାର ବିଚାର ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା । ତେବେ ଗତ ୨୧ ତାରିଖରେ ଦିଅର ଅସଦାଚରଣ କରିବାରୁ ମହିଳା ଜଣକ ତାର ପ୍ରତିବାଦ କରିଥିଲେ । ଫଳରେ ଦିଅର,ନଣନ୍ଦ ଓ ଶାଶୂ ମିଳିତ ଭାବେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ଉକ୍ତ ମହିଳାଙ୍କୁ ଆକ୍ରମଣ କରିବାକୁ ଯାଇ ଶାଶୂ ତାଙ୍କ ହାତକୁ କାମୁଡି ରକ୍ତାକ୍ତ କରିବା ସମୟରେ ମଝିଆ ଝିଅ ମାଆକୁ ବଞ୍ଚାଇବାକୁ ଯାଇ ଆହତ ହୋଇଥିଲା । ଶାଶୂ ଘର ଲୋକଙ୍କ ନିର୍ଯାତନା ଅସହ୍ୟ ହେବାରୁ ମହିଳା ଜଣକ ପୋଲିସର ଆଶ୍ରୟ ନେବାକୁ ଯାଇ କମର୍ଦ୍ଦା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
previous post