ଓଡିଶା

ପୁଣି ଶବକୁ ଅସମ୍ନାନ ମହାପ୍ରୟାଣ ଗାଡି ନ ଦେବାରୁ କାନ୍ଧରେ ବୋହିଲେ ପରିବାରବର୍ଗ

(ମହାଭାରତ, କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଥରେ ଶବକୁ ଅସମ୍ନାନ ଭଳି ଘଟଣା ଘଟିଛି । ଡାକ୍ତରଖାନାରେ ମହାପ୍ରୟାଣ ଗାଡି ଥିବା ସତ୍ତେ୍ୱ ଡାକ୍ତରଖାନା ପକ୍ଷରୁ ତାହା ଯୋଗାଇ ଦିଆନଯିବାରୁ ମୃତକଙ୍କ ପରିବାର କାନ୍ଧରେ ଶବକୁ ବୋହି ନେଇଛନ୍ତି । ସୂଚନା ଅନୁଯାୟୀ, ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବରାପାଲି ଗାଁରେ କୁନି ନାୟକଙ୍କୁ ଜ୍ୱର ହେବାରୁ ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସନ୍ଧ୍ୟା ୭ଟା ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାରବର୍ଗ ମହାପ୍ରୟାଣ ଗାଡି ମାଗିବା ସତ୍ତେ୍ୱ ଦୀର୍ଘ ସମୟ ପର୍ଯ୍ୟନ୍ତ ମେଡିକାଲ ପକ୍ଷରୁ ତାହା ଯୋଗାଇ ଦିଆଯାଇ ନଥିଲା । ପ୍ରଥମେ ଗାଡି ଖରାପ ଥିବା କୁହାଯାଇଥିବା ବେଳେ ପରେ ଚାଳକ ନଥିବା ମେଡିକାଲ କର୍ତ୍ତୃପକ୍ଷ ଦର୍ଶାଇଥିଲେ ।

ଦୀର୍ଘ ସମୟ ଧରି ମହାପ୍ରୟାଣ ଗାଡି ନ ପାଇ ନିରାଶ ହେବା ପରେ ବାଧ୍ୟ ହୋଇ ମୃତକଙ୍କ ସ୍ୱାମୀ ରାତି ୧୦ଟା ପରେ ସ୍ତ୍ରୀର ଶବକୁ ବାନ୍ଧି କାନ୍ଧରେ ବୋହି ବୋହି ଗାଁ ଅଭିମୁଖେ ବାହାରିଥିଲେ । ପ୍ରାୟ ୪ କିମି ବାଟ ଅତିକ୍ରମ କରିବା ପରେ ପରିବାର ଲୋକଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚିଥିଲା । କିନ୍ତୁ ଡେରିରେ ଗାଡି ପହଞ୍ଚିବାରୁ ଏଥିରେ ଅସନ୍ତୁଷ୍ଟ ହୋଇ ପରିବାର ଲୋକେ ଏହାକୁ ଫେରାଇ ଦେଇଥିଲେ । କିଛିବାଟ ଯିବା ପରେ ନିଜ ଖର୍ଚ୍ଚରେ ଗାଡି କରି ସେଥିରେ ଶବକୁ ଗାଁକୁ ନିଆଯାଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

ତେବେ ସାଧାରଣ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗରେ ୫-ଟି ଲାଗୁ କରିବା ପରେ ଲୋକଙ୍କ ମନରେ ଅନେକ ଆଶା ସଞ୍ଚାର ହୋଇଥିଲା । କିନ୍ତୁ ଏହାପରେ ମଧ୍ୟ ଏଭଳି ଘଟଣା ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ କଳାହାଣ୍ଡି ଜିଲ୍ଲାପାଳ ଏହି ଘଟଣାକୁ ଟ୍ୱିଟ୍ କରି ଖଣ୍ଡନ କରିଛନ୍ତି ।

Related posts

ବହଳଦା ସତସଙ୍ଗ ବିହାର ଆନୁକୁଲ୍ୟରେ ୩୦ ୟୁନିଟ ରକ୍ତ ସଂଗ୍ରହ

mahabharatanews

ସୁନ୍ଦରଗଡରୁ ପୁଣି ଜଣେ କରୋନା ଚିହ୍ନଟ

mahabharatanews

୧୦ ବାଇକ୍ ଜବତକଲା ବଡଚଣ। ପୁଲିସ

mahabharatanews