ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କୋଇଡ଼ା ସ୍ଥିତ କୋଦଡିହା କଲ୍ୟାଣ ମଣ୍ଡପଠାରେ ଅରୁଣିମା କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୨ ଦିନ ଧରି ହେବାକୁ ଥିବା ବେଳେ ଆଜି ପ୍ରଥମ ଦିନରେ ଅନୁଷ୍ଠିତ ଜ୍ୟୋତି ଫେଲୋସିପ ପ୍ରଦାନ ଉତ୍ସବରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ୧,୦୭୩ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ସହ ଉଚ୍ଚଶିକ୍ଷା ପାଇଁ ବୃତ୍ତି ପ୍ରଦାନ କରାଯାଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଚଳିତ ବର୍ଷର ଆଭିମୁଖ୍ୟ ରହିଛି ‘ୱାଟର ଆକ୍ସନ ଡିକେଡ-ଜଳ ସମ୍ବନ୍ଧୀୟ ଆହ୍ୱାନର ସମାଧାନ” । ଟାଟା ଷ୍ଟିଲ ଫାଇଣ୍ଡେସନର ଏହି ଅଭିନବ ପ୍ରୟାସ ବିଶ୍ୱସ୍ତରୀୟ ଆହ୍ୱାନ ‘ସ୍ଥାୟୀ ବିକାଶ ପାଇଁ ଜଳ’ ସହିତ ସମନ୍ୱୟ ରଖୁଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ କୋଇଡ଼ା ବ୍ଲକ ଅଧ୍ୟକ୍ଷ ସୁରେଶ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କୋଇଡ଼ା ବ୍ଲକ ଶିକ୍ଷା ଅଧିକାରୀ ଅଭିମନ୍ୟୁ ବେହେରା, କୋଇଡ଼ା (ଖ)ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ନାଏକ, ପାଟମୁଣ୍ଡା ପୂର୍ବତନ ସରପଞ୍ଚ ଅବିନାଶ ସୁମନ ବାଗେ, କୋଇଡା ସମ୍ବାଦ ପ୍ରତିନିଧି ଅଭିନାଶ ଶର୍ମା ଯୋଗ ଦେଇଥିଲେ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ମୁଖ୍ୟ ସଞ୍ଜୟ କୁମାର ସର୍ଦ୍ଦାର , କଳମଙ୍ଗ ଖଣି ହେଡ ଏନ ଶ୍ରୀନିବାସ ରାଓ ,ଟାଟା ଷ୍ଟିଲ୍ ଫାଉଣ୍ଡେସନର ଯୋଡ଼ା ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ରବୀନ୍ଦ୍ର କୁମାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଟିଏସଏଫର ଏଭଳି କାର୍ଯ୍ୟକ୍ରମକୁ ଅତିଥି ମାନେ ପ୍ରଶଂସା କରିଥିବା ବେଳେ କୋଇଡାରେ ଛୋଟ ବେଳୁ କିପରି ପାଠ ପଢିବା ପାଇଁ ସଂଘର୍ଷ କରୁଥିଲେ ସେ ବିଷୟରେ କୋଇଡା (ଖ) ଜିଲ୍ଲା ପରିଷଦ ଅଶୋକ କୁମାର ନାଏକ ନିଜ ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ମହିଳା ନେତୃତ୍ୱ ଏବଂ ସ୍ଥାୟୀ ଜୀବିକା ଉପରେ ଗୁରୁତ୍ୱାରୋପ କରାଯିବ। ‘ପ୍ରୋଜେକ୍ଟ ଦିଶା’ ଅଧୀନରେ ମହିଳା ଓ ବାଳିକାମାନଙ୍କ ମଧ୍ୟରେ ସାମାଜିକ-ରାଜନୈତିକ ସଚେତନତା, ନେତୃତ୍ୱ ବିକାଶ ଏବଂ ଡିଜିଟାଲ ସାକ୍ଷରତା ସମ୍ପର୍କରେ ଆଲୋଚନା କରାଯିବ ବୋଲି କମ୍ପାନୀ ତରଫରୁ ସୂଚନା ମିଳିଛି ।
