ଭୁବନେଶ୍ୱର: କରୋନା ମହାଯୁଦ୍ଧରେ ପୁଲିସ ପ୍ରଶାସନର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ରାଜ୍ୟରେ ଲକଡାଉନ ଜାରି ହୋଇଛି । ଏହାର ତଦାରଖ କରିବାକୁ ଓ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିର ଅନୁଧ୍ୟାନ ପାଇଁ ଆଜି ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଗସ୍ତ କରିଛନ୍ତି । ରାଉରକେଳାରେ ପହଞ୍ଚି ସହରର ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି । ସେ ଆଜି ଏକ ସ୍ୱ୍ୱତନ୍ତ୍ର ହେଲିକେପ୍ଟରରେ ଦିନ ୧୧ଟା ବେଳେ ରାଉରକେଲା ଏୟାରପୋର୍ଟରେ ଅବତରଣ କରିଥିଲେ । ତାଙ୍କ ସହ ଅତିରିକ୍ତ ପୁଲିସ ମହାନିର୍ଦେଶକ (ଗୁଇନ୍ଦା) ରାଧାକୃଷ୍ଣ ଶର୍ମା ଯାଇଥିଲେ ।
ପଶ୍ଚିମାଞ୍ଚଳ ଡିଆଇଜି କବିତା ଜାଲାନ, ରାଉରକେଲା ଏସପି କେ .ଶିବ ସୁବ୍ରମଣି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ପୁଲିସ ମହାନିର୍ଦେଶକ ରିଜର୍ଭ ପୁଲିସର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ସେଠାରେ ଥିବା ବାରେକରେ ରହୁଥିବା ପୁଲିସଙ୍କ ସମସ୍ୟା, କ୍ୟାଣ୍ଟିନର ପରିଷ୍କାର ପରିଚ୍ଛନ୍ନତା ସଂକ୍ରାନ୍ତରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ ରଘୁନାଥପାଲି, ଉଦିତନଗର, ପ୍ଲାଣ୍ଟ ସାଇଟ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଲକଡାଉନରେ ସୁରକ୍ଷା ବ୍ୟବସ୍ଥା କିପରି ଗ୍ରହଣ କରାଯାଇଛି ପ•ରି ବୁଝିଥିଲେ । ଏହା ପରେ ସେ ବିଶ୍ରା କଣ୍ଟେନମେଣ୍ଟ ଜୋନ ବୁଲିଥିଲେ । ଏହାପରେ ଏସପିଙ୍କ କାର୍ଯ୍ୟାଳୟରେ ଡିଆଇଜି କବିତା ଜାଲାନ, ଏସପି କେ. ଶିବା ସୁବ୍ରମଣୀ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା ଥିଲେ ।
